ପାରିବୁ ତ
ପାରିବୁ ତ
ନିଜ ଜୀବନକୁ ଚିପୁଡ଼ି ନିଗୁଡ଼ି
ଏ ଖାଲି ପାତ୍ରକୁ ଯେ ଭରିଛି
ଯେ ତୋ ଠୁ ଅଧିକ ତୋତେ ଚିହ୍ନିଛି
ଦେଖିବା କ୍ଷଣି ଯେ ଜାଣିପାରେ
ଏ ଦେହ ମନ କେତେ କ୍ଳାନ୍ତ
କେଉଁଠି କେତେ ବ୍ୟଥା ଯନ୍ତ୍ରଣା
ପେଟରେ କେତେ ଭୋକ
ତଣ୍ଟିରେ କେତେ ଶୋଷ ଲୁଚି ରହିଛି ।
ସେହି ଏକା ନୀଳକଣ୍ଠ ପରି
ନିଜ ହାତ ଦେଇ
ନିଜ ଗଢ଼ା ଏ ଦେହରୁ
ଆପଣା ଦେହକୁ ଆତ୍ମାକୁ
ଶୋଷି ନେଇ ପାରେ
ସବୁ ଥକାପଣ ଭୋକ ଆଉ ଶୋଷ
ବିନା କିଛି ସର୍ତ୍ତରେ ।
କେଉଁଠୁ ଆସେ ଏତେ ବଳ
ଆଉ କେହି ଅଛନ୍ତି କି ତା'ଭଳି
ଇଶ୍ଵରଙ୍କୁ ତୁ ଜାଣୁନା
ନା ଜାଣିବାର ପ୍ରୟୋଜନ ମଣୁ
ଦୃଶ୍ୟ ପ୍ରତ୍ୟକ୍ଷ ସତ୍ୟକୁ ନ ଆଦରି
ସମୟ ଶକ୍ତି ତପସ୍ୟା
ତୁଚ୍ଛାକୁ ଅପବ୍ଯୟ କରି
ଧାର୍ମିକତା ର ମୁଖା ପିନ୍ଧି
ମନଗଢ଼ା ଧର୍ମର କାରାଗୃହରେ କଏଦୀ ହୋଇ
ମରିଚିକା ପଛରେ ମାତିବାକୁ ।
ତା'ର ସୃଷ୍ଟି ଚିରସବୁଜ ହେଇ ରହୁ
ସେ ଏତିକି ହିଁ ତ ଚାହେଁ
କିଛି ଦେଇ ପାରିବୁନି ତାକୁ
ତୁ ଯାହା ସବୁ ତାହାରି ସୃଷ୍ଟି
ଏ ସୃଷ୍ଟିକୁ ନେଇ ସେ ଯେଉଁ ଗର୍ବ କରେ
ସେ ଗର୍ବକୁ ତୁ ବଞ୍ଚାଇ ପାରିବୁ ତ ।
ସେ ଜାଣେ ଏ ଦେହ ଚିରନ୍ତନ ନୁହେଁ
ତେଣୁ ଖାଲି ଦେହଟିଏ ସେ ତୋଳିନି
ସ୍ୱପ୍ନର ଆଦର୍ଶର ମଞ୍ଜିଟିଏ ବି ପୋତିଛି
ସେଇଟି ବିରାଟ ର ରୂପ ନେଲେ
ତା'ର ଅବ୍ୟକ୍ତ ଲୁକ୍କାୟିତ ସ୍ୱପ୍ନ ସାକାର ହେବ
ସେତିକି ତୁ ପାରିବୁ ତ ।