ପାପ କହେ ପୁଣ୍ୟ କହେ
ପାପ କହେ ପୁଣ୍ୟ କହେ
ପାପ ତ କୁହଇ ଆରେ ପୁଣ୍ୟ ଭାଇ
ତୋ ମୁହଁକୁ ଲାଜ ନାହିଁ
ଅନୀତି, ଅନ୍ୟାୟ ରୂପେ ଘରେ ଘରେ
କଳି ଯୁଗେ ଅଛି ମୁହିଁ ।
ଲୋଭ ରୂପେ ମୁହିଁ ଗ୍ରାସେ ମଣିଷକୁ
ମୋତେ ଆଦର ବହୁତ
ତୋ କଥା କହିଲେ ଆରେ ପୁଣ୍ୟ ଭାଇ
ଧର୍ମକୁ ନିନ୍ଦେ ଜଗତ ।
ଯେଉଁ ପକ୍ଷ ନିଏ ମୋର ସମର୍ଥନ
ସେହି ମାରେ ଜିତାପଟ
ଯେଉଁ ପକ୍ଷ ତୋତେ ଟେକି ଧରିଥାଏ
ସିଏ ହୁଏ ଛଟପଟ ।
ଅନୀତିରେ ଯିଏ ଯେତେ ଧନ ରଖେ
ସେହି ମୋର ପ୍ରିୟ ସାଥି
ଯିଏ ଯେତେ ମୋର ସହାୟ ନିଅନ୍ତି
ତାଙ୍କରି ଚର୍ଚ୍ଚା ସବୁଠି ।
ତୋର ନାମ ଏଠୁ ବୁଡ଼ିଲା ସଂସାରୁ
ଇଏ ପରା କଳିଯୁଗ
ଏ ଯୁଗରେ ତୋର ଭାଉ ଚଳିବନି
ଦେଖାଉଛୁ କେତେ ରଙ୍ଗ ।
ଧୀର ଗଳେ ପୁଣ୍ୟ କୋମଳେ କୁହଇ
ସତ୍ୟ ଯୁଗେ ଥିଲି ରାଜା
କେଉଁ ନର୍ଦ୍ଦମାରେ ଲୁଚିଥିଲୁ ତୁହି
ତୋହର ନ ଥିଲା ଖୋଜା ।
ତ୍ରେତୟା ଯୁଗରେ ଟିକିଏ ଉଠିଲୁ
ନଇଁ ନଇଁ ଚାଲୁଥିଲୁ
ଘରେ ଘରେ କେତେ ଆନନ୍ଦ ଦେଲି ମୁଁ
ଚାତକ ପରି ଚାହିଁଲୁ ।
ଦ୍ୱାପର ଯୁଗରେ କୃଷ୍ଣ ଅବତାରେ
ସଳଖି ହେଲୁ ଟିକିଏ
ସେବେ ତୋର ଦର୍ପ ଭାଙ୍ଗିଥିଲି ମୁହିଁ
ମହାଭାରତ ପରାଏ ।
କଳିଯୁଗ ଲୋକେ ହେଲେ ଖଳବଳ
ଟେକି ଧରିଛନ୍ତି ତୋତେ
ହେଉଛନ୍ତି କେତେ ହୀନସ୍ତାରେ ଭାଇ
ଦେଖି ପାରୁନୁ କି ନେତ୍ରେ ।
ସମୟ ଆସିବ ସବୁତୁ ବୁଝିବୁ
ଧର୍ମର ହେବ ଜୟ
ଅଧର୍ମ ବଢ଼ଇ ନଈ ବଢ଼ି ପରି
ଶୀଘ୍ର ହୁଏ ଅପଚୟ ।
