ପାନ ବଟୁଆ
ପାନ ବଟୁଆ
ସଜେ ରହିଥିବ ଗୁଆ ଗୋଟା ଫାଳି
ଧାରଦିଆ ଖିଲିକାତି
ଡବାରେ ଖଇର ମଧୁରୀ ଧନିଆ
ଲବଙ୍ଗ ଓ ଗୁଜୁରାତି ।
ପିତ୍ତଳ ଖୋଳରେ ରନ୍ଧା କଲିଚୂନ
ପାନ ପତରକୁ ମେଲି
ଭାଙ୍ଗି ଖିଲେ ପାନ ଦଣ୍ଡେ ଚୋବାଇଲେ
ପାଟି ପଡିଯାଏ ନାଲି ।
ଜେଜେ ଜେଜେମାଆ ଆମ ଆଈ ଅଜା
ଜାଣିଥିଲେ ପାନ ମଜା
ବଟୁଆ ଭିତରେ ପାନ ସରଞ୍ଜାମ
ଯତ୍ନେ ରଖୁଥିଲେ ଖଞ୍ଜା ।
ଗାଇ ଚଉପଦୀ ଛାନ୍ଦ ରାଗ ଚୋଖି
ମନବୋଧ ଚଉତିଶା
ଭୁଲି ଯାଉଥିଲେ ଦୁଃଖ ଅବସାଦ
ପାନ ସୁମଧୁର ନିଶା ।
ଆମ ଓଡିଶାର ଧର୍ମ ସୁସଂସ୍କୃତି
ନୌବାଣିଜ୍ୟ ପରମ୍ପରା
ପାନ ଗୁଆ ଆଉ ବଟୁଆ ସହିତ
ନିବିଡ ଭାବରେ ଜଡା ।
ପାନର ଉପରେ ଥୋଇ ଗୋଟା ଗୁଆ
କରାଯାଏ ସୁସଙ୍କଳ୍ପ
ଦେବଦେବୀଙ୍କର ହୁଏ ଆବାହନ
ପିତୃଲୋକ ପରିତୃପ୍ତ ।
ଗଣପର୍ବ ରଜ ଶୁଭ ଅବସରେ
ପାନର ଭୂମିକା ବେଶି
ପାନଖିଲ ଜାକି ଦୋଳିରେ ଝୁଲିଲେ
ଚାନ୍ଦ ପଡେ ହାତେ ଖସି ।
ପାନ ବଟୁଆର ବଡ କରାମତି
ରଙ୍ଗୀନ ଛବିଳ ଦେହ
ଭରୁଥିଲା ପ୍ରାଣେ ମହକ ମଧୁର
ଆଗ୍ରହ ବଡ ଉତ୍ସାହ ।
ସ୍ୱାଦିଷ୍ଟ ପାନର ଆଦାନ ପ୍ରଦାନେ
ବଢୁଥିଲା ଆତ୍ମୀୟତା
ପାନର ମାଧୁର୍ଯ୍ୟ ଅମୃତ ମହିମା
ଏବେ ସବୁ ସ୍ମୃତି ଗାଥା ।
