ପାଳିବା ଗାଆଁରୁ ସହର
ପାଳିବା ଗାଆଁରୁ ସହର
ଆଦ୍ୟ ଆଷାଢ଼ରେ ଖୁସିର ପସରା
ମେଲାଇ ସ୍ବାଗତ କରେ,
ମହମହ ବାସ ଗାଆଁରୁ ସହର
ଛୁଟଇ ସବୁ ଦାଣ୍ଡରେ,
ଆମ ଏଇ ଉତ୍କଳରେ
ଲାଗୁଅଛି ଭାରି ନିଛାଟିଆ ପଣ
ଲାଗିନି ଦୋଳି ଗଛରେ ।
ଦୋଳି କି ଲାଗିବ ଗଛରେ ତ ଆଜି
ସଫା ହୋଇଇଅଛି ବଣ,
ଗଜ ନାହିଁ ଆଉ ଜଙ୍ଗଲରେ ପରା
ଗାଁରେ ତା ଆକ୍ରମଣ,
ହୁଏ ଜନ ଆନ୍ଦୋଳନ
କାହିଁକି ଜଙ୍ଗଲୀ ପଶୁ ମାତୁଛନ୍ତି
ଶିକାରୀଙ୍କୁ ଡାକିଆଣ ।
ଦଳଦଳ ହୋଇ ଗାଆଁ ଝିଅ ବୋହୁ
ତୋଟାରେ ଗାଉନି ଗୀତ,
ନିଜ ହାତେ ନିଜେ ଚଉଦ ପାଆଲୋ
କେହି ନୁହଁନ୍ତି କା'ମିତ,
ରଜଦୋଳି କଟମଟ
ସହରାଭିମୁଖୀ ସଭିଏଁ ହେଲେଣି
କବି କଲମେ ଶୋଭିତ ।
ଆଉ ମେଳ ମେଳ ତାସ୍ ଲୁଡୁପାଲି
ପିଣ୍ଢାରେ କେ ଖେଳୁନାହିଁ,
ପିଜା,ବର୍ଗରରେ,ଆଉ କ୍ଲବ୍ ଘରେ
ପବଜିରେ ବେଳ କଟଇ ,
କେତେ କେତେ ଦୋଳି ବନ୍ଧା
ସପନ ପରାଏ ବହିରେ ରହୁଛି
(ରଜ) ମନ ଉଣା କରୁଥାଇ ।
ସଭିଏଁ ତ ବ୍ୟସ୍ତ ମୁହଁରେ କୁହନ୍ତି
ଭାଇଚାରା ଭାବ ନାହିଁ,
ରାଜନୀତି ଠାରୁ କୂଟନୀତି ଯାଏ
ଆଲୋଚନା ବିତୁଥାଇ,
ଜମି ଫାଟି ଆଁ କରଇ
ଧରଣୀ ମାତା ମୋ ଚାହିଁ ରହିଅଛି
ତାକୁ କେହି ଖୋଜୁନାହିଁ ।
ପାଦରେ ଅଳତା ଦେହରେ ହଳଦୀ
କଦଳୀ ପଟୁଆ ଜୋତା,
ପୁରୁଣା ସଂସ୍କୃତି ଏ କାଳେ ଆମର
ଭୁଲିଲେଣି ଏହି କଥା,
ଭୁଆସୁଣୀ ପାନ ଭଙ୍ଗା
ଆଧୁନିକ ଯୁଗ ଆଧୁନିକା ସବୁ
ହସି ଉଡାନ୍ତି ଏ ପ୍ରଥା ।
ଶୃଙ୍ଖଳିତ ଆନନ୍ଦିତ ପରିବେଶ
ଗଲାଣି କେତେ ବର୍ଷରୁ,
ନିଜ ନିଜ ଘରେ ଯେ ମୋବାଇଲରେ
ଶୁଭେଚ୍ଛା ଦିଆ ଶୂନ୍ୟରୁ,
ବିପର୍ଯ୍ୟସ୍ତ ଅତି ଜ୍ଞାନରୁ
ହଜି ହଜି ଯାଏ ପୁଣି ଲୁପ୍ତ ପ୍ରାୟେ
ଆମ ଉତ୍କଳ ଭୂଇଁରୁ ।
ଆସ ଗୋ ସଙ୍ଗାତ ଆସ ଗୋ ମକର
ଆସ ଗୋ ଲବଙ୍ଗ ମୋର,
ରଜଦୋଳି ଖେଳି ରଜପାନ ଖାଇ
ଛୁଟାଇ ଗୀତ ଲହର,
କହିବା ପୁଣି ଗର୍ବର
ଉତ୍କଳର ଏହି ମହାନ ପରମ୍ପରା
ପାଳିବା ଗାଆଁରୁ ସହର ।