ପାଳଭୂତ
ପାଳଭୂତ
ମୋ ସାର୍ଟ
ମୋ ପ୍ୟାଣ୍ଟ
ମୋ ଟୋପି ପିନ୍ଧି
ଆମ କିଆରି ମଝିରେ ଛିଡ଼ା ହୋଇ
ମୋତେ ଡରାଉଛି
ପାଳଭୂତ ।
ଖରା ବର୍ଷା ଶୀତ
ସବୁକୁ ଚଳୁ କରି
ରାତ୍ରୀର ନିସ୍ତବ୍ଧତାକୁ
ହାଡେ ମାଉସେ ହଜମ କରି
ଜାହିର୍ କରୁଛୁ ତୋର ଅବସ୍ଥିତି
ମୁଁ ମାନୁଛି
ହେଲେ ଅଭ୍ୟାସ ବଶତଃ
ହୁରୁଡାଇ ଦେଉଛୁ ମୋତେ ।
ଋଣର ଗଳିତ ଘା'କୁ
ସ୍ଵପ୍ନ ମାର୍କା ମଲମ
କରିପାରୁନି ନିୟନ୍ତ୍ରଣ
ଚରି ଯାଉଛି
ବାକିଥିବା ଆୟୁଷ
କେତେବେଳେ ନୀତି ଓ ନିୟମ
ବେକରେ ମୋ ଫନ୍ଦା ହୋଇ ଓଟାରୁଛି
ମୁଁ ଅଣନିଃଶ୍ବାସୀ ନାକେଦମ୍
ଏଇ ହୁଏତ
ପ୍ରାଣ ଛାଡ଼ି ଦେଇପାରେ ପିଣ୍ଡ ।
ଦେଖିବୁ
ମୁଁ ଦିନେ
ତୋ ସାର୍ଟ
ତୋ ପ୍ୟାଣ୍ଟ୍
ତୋ ଟୋପି ପିନ୍ଧି
ତୋ ଜାଗାରେ ଛିଡ଼ା ହୋଇ
ତୋତେ ଡରାଉଥିବି
ପାଳଭୂତ ।।
