ପାଳଭୂତ
ପାଳଭୂତ
ଅଭୁଲା ସେ ପିଲାଦିନ ସ୍ମୃତି
ଲାଗେ ସତେ ଜୀବନ୍ତ ଯେମିତି
ଆମ୍ବତୋଟାରେ
ଭାରି ସୁଆଦ
ପାଚିଲା ଆମ୍ବ
ରାବେ କୋଇଲି -
ଚଇତି ବସନ୍ତ ପାହାନ୍ତି ମଳୟେ
ମନଟା ଯାଏ ଚହଲି ।
ନାମ ପୀତାମ୍ବର ପିତା ସାଆନ୍ତ
ବୁଢ଼ା ଖଣ୍ଡିକ ଭାରି ଚେମଟ
ଟୁଙ୍ଗି ଚାଳିଆରେ
ଆମ ମନୁଆ
ଟୋକା ନାତିଆ
ଆଖଡ଼ା କରେ-
ପାଠଶାଠ କମ୍ ଗପସପ ବେଶୀ
ସାଙ୍ଗମାନଙ୍କର ଆସର ଜମେ ।
ନିଘୋଡ଼ ନିଦରେ ଶୋଇଛି ମୁଁ
ଡାକିଲେ ଯେତେ ବି ନ ମାରେ ହୁଁ
ବୁଢ଼ା ପିତେଇ
ଅଣ୍ଟାବଙ୍କେଇ
ଆସୁଛି ମାଡ଼ି
ହାତରେ ଉଞ୍ଚେଇ ବଙ୍କୁଲି ବାଡ଼ି ।
ନିଇତି ସେ ପିନ୍ଧେ ତିଳକ ଚିତା
ଧୋତି କୁଞ୍ଚ ପକା ପାଇକିକଚ୍ଛା
ଆମକୁ ଜଗେ
ବଡ଼ି ସକାଳୁ
ଉଠେ ନିଦରୁ
ସକାଳସଞ୍ଜେ
ନାମଟି ଭଜେ
ମାରେ ଗୋଇଠା_
ଯିଏ ନ ଉଠେ ତା କପାଳ ଫଟା ।
ତିଳକେ ତା ଜାଗେ ଆଜ୍ଞା ଚକର
ପଇତା ଗଣ୍ଠିରେ ମନ୍ତ୍ର ବଜର
ଡର କାହାକୁ
ଭୟ କାହାକୁ
ଭିଡିଦେଲେ ପାଇକଚ୍ଛା ,
ଅଣ୍ଟାରେ ଭିଡ଼ିଲେ ଶକତି ଜବର
କାନ୍ଧର ନାଲି ଗାମୁଛା ।
ଦୁଧେଇ କୂଳେ କରେ ସେ ପାଳ
ଛନଛନ ଦିଶେ ଗଛ ପତର
ପରିବା ଫଳେ
କଖାରୁ ଜହ୍ନି
ପୋଟଳ ଭେଣ୍ଡି
ଆଳୁ ବିଲାତି
ଜାତିକୁ ଜାତି
ପୋତିକି କିଳା-
ପାଳଭୂତଟିଏ ଠିଆ କରିଦିଏ
ତା ମୁହଁ ମାଠିଆ ।
ପିନ୍ଧାଏ ତାହାକୁ ରଙ୍ଗୀନ ଜାମା
କଲିଚୂନେ ଆଖିପାଟିଟା ଢିମା
ଦେଖିଲେ କାଳେ
ଚୋର ତସ୍କର
କଟେ ନଜର
ହୁଅନ୍ତି ଦୂର-
ପାଳଭୂତ ଦେଖି ହୁରୁଡି ପଳାନ୍ତି
ଗାଈ ଛେଳିମେଣ୍ଢା ମାଙ୍କଡ ପଲ ।
କୁହେ କେତେ ସିଏ ପୁରାଣ କଥା
ଭାରି ପ୍ରତ୍ୟକ୍ଷ ଗାଁ ଦେବୀ ଦେବତା
ଆମ ଜାଗୁଳେଇ
ବାଡ଼ି ଧରିଛି
ଜଗି ବସିଛି
ରୋଗ ବୈରାଗ
କଳା ନଜର
ପଶେନା ଡରେ-
ମାଆ ବୋଲି ତାକୁ ଡାକଟିଏ ଦେଲେ
ସଙ୍ଗେ ସଙ୍ଗେ ସିଏ ଓ ବି କରେ ।
ଗାଁ ବାରିକାଣୀ ଯିଏ ସୁମତି
ବେଳ ଘଡିଏକୁ ପୂଜଇ ନିତି
ପସରା ଧରି
ସାହିକୁ ସାହି
ନିତି ବୁଲଇ
ପାଦୁକା ଦିଏ
ଦକ୍ଷିଣା ନିଏ
ଶୁଭ ମନାସେ-
ରୋଗ ଦୁଃଖ କଷ୍ଟ ଗାଁ ଗୋଟାକରେ
ମିଛ ଲାଗିପାରେ ପାଖେ ନ ପଶେ ।
ବଇଦ ନାହିଁ କି ଔଷଧ ନାହିଁ
ଘରେ ହିଁ ରହିଛୁ ହାତକୁ ଧୋଇ
ଦେହ ଦୁର୍ବଳ
ମନ ପାଗଳ
ସବୁ ବେମାର
ସବୁ ବେକାର
ଭୀଷଣ ରୋଗ ଦାଉ
ମଲମଲ ହୋଇ ଚଢ଼ିଗଲା ଗଛ
ଓହ୍ଲାଉନି ତଳେ ଆଉ ।
ନାହିଁ ପାଳଭୂତ ଆଗ ବିଶ୍ୱାସ
ଛୁ ମାନୁନାହିଁ ମନ୍ତରେ ବିଷ
ଜାଗ ପାଳଭୂତ ଜାଗ-
ଆଇଁଷି ମନ୍ତର କାଇଁଷି ମନ୍ତର
ମାଆ ଜାଗୁଳେଇ କୋଟି କୋଟି ଆଜ୍ଞା
ଭାଗ୍ ମହାମାରୀ ଚାଇନା ଭାଗ୍।
------------