ପାଗଳି ମାଆ
ପାଗଳି ମାଆ
ଦୁନିଆଁ ଯାକରେ ବଡ଼ ଓଜନିଆଁ
ବଡ଼ ମଧୁର ସେ ନାଆଁ,
ଜନମ ଦାୟିନୀ ସେ ତ କୃପାମୟୀ
ନାଆଁ ତାର ଅଟେ ମାଆ |୧|
ମାଆ ଡାକେ ଅଛି ସବୁରେ ପୂର୍ଣ୍ଣତା
ସରଗ ବୈକୁଣ୍ଠପୁର
ଏ ମର୍ତ୍ତ୍ଯ ମଣ୍ଡଳ ସରଗ ଏଇଠି
ମିଳେ ଯହିଁ ମାଆ ସତ୍ତା |୨|
ନିମିଷକ ପାଇଁ ଆଖିର ଉଢ଼ାଳେ
ମାଆ ହୁଅଇ ପାଗଳି,
କାହିଁଗଲା ମୋର ଜୀବନର ଧନ
କାହିଁ ଜୀବନ ଶଙ୍ଖାଳି |୩|
ଦେଖିଥିଲେ କୃଷ୍ଣ ଯଶୋଦା ମାଆରେ
ପାଗଳି ଆଖିର ଲୁହ,
ମନ ବେଦନାର ଆକୁଳ ଭାବନା
ହୃଦୟ ତଳର କୋହ |୪|
କୃଷ୍ଣ ଚାଲିଗଲେ ମଥୁରା ପୁରକୁ
ତହୁଁ କଳିଲେ ଦ୍ଵାରକା ,
ଭିଜିଗଲା ଆଖି ଲୁହର ବନ୍ୟାରେ
ରାଧାରାଣୀ ଓ ଗୋପିକା |୫|
ଝୁରଇ ଯଶୋଦା ଗୋପ ବୃନ୍ଦାବନ
ଝୁରଇ ଯମୁନା ପାଣି,
ମାଆ ମନ ଝୁରେ ଝୁରି ଝୁରି ମରେ
ଝୁରଇ ପଣତ କାନି |୬|
ଯଶୋଦା ପାଗଳି ନନ୍ଦରାଜା ରାଣୀ
ଖୋଜୁଥାନ୍ତି ନୀଳମଣୀ,
ଗାଈଗୋଠେ ଅବା ଗାଈ ଜଗିଥିବ
ବେଳ ଉଛୁର ହେଲାଣି |୮|
ଖାଲି ବୃନ୍ଦାବନ ଖାଲି ଗାଈଗୋଠ
ଖାଲି ରାହାସ ମଣ୍ଡଳୀ,
ଖାଲି ମା' ପଣତ ଗୋପଦାଣ୍ଡ ସତ
ଯଶୋଦା ହୁଏ ପାଗଳି |୯|
ମାଆ ଡାକ ଉଚ୍ଚେ ସରଗ ଛୁଇଁଲା
ଭେଦିଲା ତିନି ଭୁବନ,
ମାଆର ଲୁହରେ ଦ୍ଵାରକା ବୁଡ଼ିଲା
ସୁବର୍ଣ୍ଣ ରାଜଉଦ୍ୟାନ |୧୦|
