ପାଦପ ପ୍ରବାଳ
ପାଦପ ପ୍ରବାଳ
ପାଦ ନାହିଁ ବୋଲି
ପାଦପ ଗୁଡିକ ଭାନୁପ୍ରିୟା ସାଜି
ସତେ କି ଆଉ ଭାଗ ବାଣ୍ଟି ନେଲେ
ପବନ ଖରା ଆଉ ଋତୁ ସବୁ
ପତ୍ରଝଡା ପରେ ନୂଆ କରି
ବେଶ ହେବାକୁ ଭିନ୍ନ ଭିନ୍ନ ବେଳେ
ନବପଲ୍ଲବିତା ନବଯୌବନା
ପୁଷ୍ପବତୀ ଋତୁମତୀ କାମିନୀ ପରି
ପ୍ରଣୟ ରଚିବାକୁ ଦିବ୍ଯାଂଶୁ ତୁଲେ ?
ପାଳି କରି ଅଷ୍ଟ ସଖୀ ଭଳି ଦ୍ବାରିକାରେ
ମର୍ଯ୍ୟାଦାର ପରିଧି ଭିତରେ ?
ଆଉ ସେ ପ୍ରବାଳଗୁଡିକ
ଗୋଟିଏ ରାତିରେ ମିଶ୍ରରାସରେ
ସମୂହ ମଗ୍ନ ଏକଇ ମଞ୍ଚରେ
ଅଲାଜୁକ ରସିକପ୍ରବର ଜହ୍ନକୁ ଦେଖି
ବୃନ୍ଦାବନର ଉନ୍ମାଦିନୀ ଗୋପବାଳା ପରି
ନିସର୍ଜନ ପୀରତି ପୀୟୁଷେ
ଧୂମ ପ୍ରାୟ ଦୂଧିଆ ବ୍ଯୁହ ରଚନ୍ତି
କେହି ଦେଖିବେନି ବୋଲି
ସିନ୍ଧୁଜଳେ ଚନ୍ଦ୍ରମାର ଜନ୍ମ ପୁରେ ।
ସପ୍ତବିଂଶ ଦକ୍ଷକନ୍ଯାଙ୍କୁ ଛାଡି
ଆଉ ଦିନକ ପାଇଁ ଏ ପୂର୍ଣ୍ଣିମାର ଜହ୍ନ
ସେଇଠି କି ପାଇଁ ଯାଏ,
ଆଉ ମଧୁମକ୍ଷୀ ରାଣୀ
ସେଇ ଦିନ ହିଁ ରଜବତୀ ହୁଏ
କାହିଁକି କେଜାଣି ?