ଓଃ ସେ କି ଅପୂର୍ବ କୁହୁକ
ଓଃ ସେ କି ଅପୂର୍ବ କୁହୁକ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
କେଉଁ ମନ୍ତ୍ର ଫୁଙ୍କିଲ କବି
ଆବାହନେ
ଜୀବନ୍ଯାସ ପାଇ ଫୁତ୍କାରି ଉଠିଲେ
ନିର୍ଜୀବ ପ୍ରସ୍ତର
ବିଚ୍ଛୁରିତ କରି
ତାରାଫୁଲ ସ୍ୱପ୍ନ ;ଇପ୍ସିତ ଅଭିସାର ;
ଶୋରିଷ ରଂଗେ
ପୃଥ୍ବୀ ସାରା ସଜେଇ ଗୋ-ଧୂଳି ଶୃଙ୍ଗାର !
ଆଦେଶ,ଅନୁରୋଧ ଅବା ଅନୁଗ୍ରହ କଲ କବି
ଚମତ୍କୃତ ସେ ଡାକ'ର ଆବେଗ ;
ଝରାଫୁଲ ଝାରିଦେଲା ମଧୁକ୍ଷରା ପ୍ରୀତି
ହୃଦକୁଂଜେ ଅଦୃଶ୍ୟେ
ଶୁଭିଲା ମୋହନବଂଶୀ ଅହୋଦିବାରାତ୍ରୀ !
ସତେ ଅବା ଶବ୍ଦ ତୁମ୍ଭ କସ୍ତୁରୀ ମହକ
ତପସ୍ୟୀ କମଣ୍ଡଳୁ ସିକ୍ତ ଅମୃତ ସ୍ତବକ!?
ଓଃସେ କି ଅପୂର୍ବ କୁହୁକ!?
ମାଟି ଚନ୍ଦନରେ ବୋଳି ପବନ ଚୁମ୍ବନ
ଟାଣିନେଲା କଳ୍ପିତ ତୋରଣ
ଦେଖ ଦେଖ କବି
ଶବ୍ଦ ଆମନ୍ତ୍ରଣେ
ଏ ପୃଥ୍ବୀରେ ଝରିଗଲା କେତେ ମଧୁମାସ
ଶତସହସ୍ର ଇନ୍ଦ୍ରଧନୁ , ଦୂର୍ଲଭ ପାରିଜାତ,
ଅଦିନେ ମୁଁ ଭିଜିଗଲି ଝର୍ ଝର୍ ବର୍ଷାରେ
ନଥିଲା ବରଷା ନଥିଲା ଶ୍ରାବଣ !
କୁହ କବି କୁହ କହିଦିଅ ଥରେ
ଲେଖନୀରେ ଖଚିତ କି ଅନନ୍ୟ ଚୁମ୍ବକ
ସିଦ୍ଧହସ୍ତେ ଲେଖିଦେଲ ଯାହା
ପାଣି ନୁହେଁ ପାଣି ହୃଦୟଟେ ବୋଲି
ନିଆଁ ନୁହେଁ ନିଆଁ ପାଣି ଟୋପେ ବୋଲି
ଅଚିରେ ମୁଁ ଆଲଙ୍ଗିଲି ପକାଇ ପଲକ
ଶବ୍ଦରେ ମୋ ମେଣ୍ଟୁଥିଲା
ଶତାବ୍ଦୀର ଭୋକ ; ସଂସାରର ଶୋକ !
ଓଃସେ କି ଅପୂର୍ବ କୁହୁକ!
ତା ପ୍ରେମରେ
ପ୍ରେମ କାଙ୍ଗାଳୁଣୀ ମୁଁ ପାଗଳୀ ପ୍ରେମିକା
ଆଜୀବନ ଥାଉ ସେ ମୋ ପ୍ରଥମ ପ୍ରେମିକ !
ଓଃ ସେ କି ଅପୂର୍ବ କୁହୁକ!?