ଓଡ଼ିଆଣୀ
ଓଡ଼ିଆଣୀ


ନିତ୍ୟେଭକ୍ତି ମୋର ଜଗାଙ୍କ ଚରଣେ ଓଡ଼ିଆ ସଂସ୍କୃତି ମୋର,
ଓଡ଼ିଆଣୀ ମୁହିଁ ଓଡ଼ିଆ ମୋ ଭାଷା
କରେ ସମ୍ମାନ ଭାଷାର।
ଓଡ଼ିଆର ପର୍ବ ଓଡ଼ିଆର ବ୍ରତ ନାହିଁ ପଟାନ୍ତର ଯାର,
ମନମୋହୁ ଥାଏ ଆଗମନେ ତାର
ଉତ୍ସାହ ଆଣେ ଗୃହର।
ମାଣବସା ବ୍ରତ କରେ ଓଡ଼ିଆଣୀ କରେଟି ସାବିତ୍ରୀ ବ୍ରତ।
ସବୁ ସମବାରେ ଉପବାସ ଯାର
କରେଟି ସୁଦଶା ବ୍ରତ।
ଯାଏ ଶିବାଳୟ ପ୍ରତି ସମବାର ଅକର୍ମା ଦାନୀ ପୂଜନେ,
ହୋଇ ଭକ୍ତିଚିତ ପୂଜନ କରେସେ
ଜାଗର ଜାଳେଟି ଧ୍ୟାନେ।
ମମତା ତାହାର ମାତୃଭାଷା ପ୍ରତି କେତେ ପ୍ରୀତି ଓଡ଼ିଆର
ଓଡ଼ିଆରେ ଶିକ୍ଷା ଦିଏ ସନ୍ତାନଙ୍କୁ
ଶିକ୍ଷା ଜ୍ଞାନ ଓଡ଼ିଆର।
ଧନ୍ୟ ଓଡ଼ିଆଣୀ ରଖି ଅଛି ଗର୍ବ ଜାତି ଓ ମାତୃଭାଷାର,
ଓଡ଼ିଆ ସଂସ୍କୃତି ସଂସ୍କାର ଜୀବନେ
ବୋଳୁ ଅଛି ଜୀବନର।
ଦିଏ ଶିକ୍ଷା ରାଷ୍ଟ୍ରେ ସଂସ୍କୃତି ସଂସ୍କାର ସର୍ବୋପରି ଜୀବନରେ,
ଭାଷା ଶିକ୍ଷା ଅଟେ ଜୀବନେ ମହତ୍ତ୍ଵ
ଗ୍ରହଣ କର ଆଦରେ।
ନାହିଁ ମାତୃଭାଷା ପ୍ରୀତି ଜୀବନରେ ମୂଲ୍ୟ ନାହିଁ ଜୀବନର,
ଜନନୀର ଭାଷା ଛାଡ଼ି କେହୁ କେବେ
ପାଇବ ଶିକ୍ଷା ଅମ୍ବାର।
ଶୁଣ ଜ୍ଞାନୀ ଜନ ଓଡ଼ିଆଣୀ ବାକ୍ୟ ମାତୃଭାଷା ପ୍ରେମ କର,
ମାତୃଭାଷା ପରା ଜୀବନେ ରତନ
ହତାଦର କିମ୍ପା କର?
ମାତୃଭାଷା ଶିକ୍ଷା ଦେବରେ ଗୌରବ ଦେବରେ କେତେ ସମ୍ମାନ
ସବୁ କ୍ଷେତ୍ରେ ତୁହି ବିଜୟୀ ହୋଇବୁ
ଶୁଣିଥା ସତ୍ୟ ବଚନ।
ଓଡ଼ିଆଣୀ ଦିଏ ଉପଦେଶ ଜନେ ମାତୃଭାଷା କର ଆଗ,
ମାତୃଭାଷା ଯୋଗୁଁ ଗୃହର ମଙ୍ଗଳ
ହୋଇବରେ ରାଷ୍ଟ୍ର ଆଗ।
ଜ୍ଞାନେ ରହି ଥାଉ ମାତୃଭାଷା ଶ୍ରଦ୍ଧା ରାଷ୍ଟ୍ର ପ୍ରତି ପ୍ରେମ ଭାବ
ଭାଷା ରାଷ୍ଟ୍ର ପ୍ରେମ ନାହିଁ ଯା ହୃଦୟେ
ତାହାର ଟି ପଶୁ ଭାବ।
କୁହେ ଓଡ଼ିଆଣୀ ଅତ୍ୟନ୍ତ ଦୁଃଖରେ ଶୁଣ ଜ୍ଞାନୀଜନ କଥା,
ଓଡ଼ିଆ ସନ୍ତାନ ପଢୁଛି ଅଂଗ୍ରେଜୀ
କିଏ କୁହେ ତାର କଥା।
ଓଡ଼ିଆ ଜନନୀ କ୍ଷୀର ଖାଇ ସେହୁ ତାର ଶିକ୍ଷା ମାତା କୋଳୁ,
ବିଦେଶୀ ଭାଷାକୁ କରେ ଆଲିଙ୍ଗନ
ଜନ୍ମିଛି ଓଡ଼ିଆ କୋଳୁ।
ଓଡ଼ିଆଣୀ ଆଜି ଚିତ୍କାର କରୁଛି କରରେ ଭାଷା ସମ୍ମାନ,
ସଂସ୍କୃତି ସଂସ୍କାର କର ସୁରକ୍ଷିତ
ରଖରେ ଭାଷାର ମାନ।