ନୂଆ ପୁରୁଣା
ନୂଆ ପୁରୁଣା
କ୍ୟାଲେଣ୍ଡର ପୃଷ୍ଠା ବଦଳି ଯାଇଛି
ବଦଳି ଯାଇଛି ବର୍ଷ
ଆଶାର ମହଲ ମୂଳଦୂଆ ଆଜି
ମାଟିରେ କରେ ସଂଘର୍ଷ ।
ପୁରୁଣା ବର୍ଷର ଆଶା ମାନେ
ହତାଶା ଜାଲରେ ବନ୍ଦୀ
ଫାଇଲ୍ ଗଡୁଛି ଭାଷଣ ଧୂଳିରେ
ପରଳରେ ଆଖି ଛନ୍ଦି ।
ଅତୀତର ନବ ବରଷ ଚିନ୍ତନ
କବି କବିତାରେ ରୁଦ୍ଧ
ମଣିଷ ପଣିଆ ଆଶା କରିଥିଲା
ଜରାଶ୍ରମେ ଗୁଞ୍ଜେ ମୁଣ୍ଡ ।
ସତ୍ୟ, ନ୍ୟାୟ କଥା ସ୍ଵପ୍ନ ଦେଖି ଥିଲା
ସତ୍ୟ ବିକିରି ହେଉଛି
ସତ ବିକି ମିଛ କିଣା ବିକା କରି
ବିତ୍ତ ବଢ଼ିଆ ଚାଲିଛି ।
ନ୍ୟାୟ ପାଇଁ ନ୍ୟାୟାଳୟ ଯାଇ ଯାଇ
ଚପଲ ଛିଡି ଯାଉଛି
ଚିଲ, ଶାଶୁଣାଙ୍କ ଉପଦ୍ରବେ ଦେଖ
ଡିହ ବନ୍ଧା ପଡ଼ୁ ଅଛି ।
ଶାନ୍ତି, ମୈତ୍ରୀ ଆଶା ନୂଆ ପାଇଁ ଥିଲା
ଭାଇ ଭାଇ ହଣାକଟା
ମୈତ୍ରୀର ସଂଜ୍ଞା ତ ବଦଳି ଯାଇଛି
ସ୍ଵାର୍ଥ ଆଜି ଜିତା ପଟା ।
ପ୍ରେମ, ପ୍ରୀତି ଝରା ଆଶା ର ବୋଇତ
ଶୁଖିଲା ଟାରେ ପଡ଼ିଛି
ପ୍ରେମର ଚାଲିଛି ଦର କଷା କଷି
ପ୍ରୀତି ଝରଣା ଶୁଖିଛି ।
ଆଜିର ପୁରୁଣା କାଲି ଥିଲା ନୂଆ
ଫର୍ଦ୍ଦ ଓଲଟାଇ ଦେଖୁଛି
ନୂଆ ଓ ପୁରୁଣା ଫରକ ଦେଖୁନି
ବରଷ ବଦଳି ଯାଇଛି ।
ପୁରୁଣା ବର୍ଷର ଶପଥ ଝୁଲୁଛି
ମଦରେ ମାତାଲ ହୋଇ
ଘରେ ଚାରି ପ୍ରାଣୀ ଉପାସ ରହିଲେ
ତାର ଯାଏ ଆସେ ନାହିଁ ।
ପୁରୁଣା ବର୍ଷ ର ମନୁଷ୍ୟତା ସ୍ୱପ୍ନ
ବଜାରେ ନିଲାମ ହୁଏ
ଦୁଷ୍କର୍ମ କରି ଯେ ଦୋଷୀ ବୁଲୁଅଛି
ପୀଡିତା ମୁହଁ ଲୁଚାଏ ।
ନୂଆ ବରଷ ଓ ପୁରୁଣା ବରଷ
କ୍ୟାଲେଣ୍ଡରେ ବଦଳୁଛି
ଯାହା ଥିଲା ସବୁ ସେଇମିତି ଅଛି
ପାଳନ ନିଶା ଘାରିଛି ।
ପାଳନ ପର୍ବରେ ସଂପର୍କ ର ସୂତ୍ର
ଦୃଢ ରୁ ହୁଅଇ ଦୃଢ
ପ୍ରତି ପର୍ବେ ଥାଏ ଜୀବନର ବାର୍ତ୍ତା
ଏ ପାଳନେ କିବା କୁହ ।
ପ୍ରଥମ ଦିନଟି ପାଳନର ଅନ୍ତେ
ଦୁର୍ଘଟଣା ଭରା ଫର୍ଦ୍ଦ
ସମ୍ବାଦ ପତ୍ରର ପୃଷ୍ଠା ରେ ମଣ୍ଡିବ
ଏ କି ଆମର ସୋହାର୍ଦ୍ଦ ?
ନୂଆ ପୁରୁଣା ପାଳନ ପର୍ବରେ
ଯଦି କିଛି ଲକ୍ଷ୍ୟ ନାହିଁ
କାହିଁକି ପାଳନ କରୁଅଛେ ଆମେ
ଟିକେ କହି ଦିଅ ଭାଇ ।
