STORYMIRROR

Lokanath Rath

Tragedy Classics Others

4  

Lokanath Rath

Tragedy Classics Others

ନୁହେଁ ତ ଏ ଘୋଷ ଯାତ୍ରା

ନୁହେଁ ତ ଏ ଘୋଷ ଯାତ୍ରା

2 mins
205


ସେ ତ ଜଗତର ନାଥ ପ୍ରଭୁ ଜଗନ୍ନାଥ, 

ତାଙ୍କ ଶ୍ରୀଚରଣ ତଳେ ତ ସକଳ ତୀର୍ଥ. 

ଜଗତ କଲ୍ୟାଣ ପାଇଁ ଦିଅନ୍ତି ଦର୍ଶନ, 

ତରିଯାଆନ୍ତି ତ କେତେ କେତେ ଦୀନ ହୀନ. 

ଆଷାଢ଼ ଶୁକ୍ଳ ପକ୍ଷେ ତୃତୀୟ ତିଥିରେ, 

ବଡ଼ଦାଣ୍ଡେ ଚାଲନ୍ତି ସେ ନିଜ ରଥରେ. 

ସଙ୍ଗେ ଘେନି ଯାଆନ୍ତି ସେ ଭାଇ ଭଉଣୀ, 

ରଚନ୍ତି ସେ ରଥଯାତ୍ରା ର ବଡ଼ କାହାଣୀ. 

ତାଙ୍କ ରଥେ ଲଗା ଦଉଡି କୁ ଟାଣି ଟାଣି, 

ନିଅନ୍ତି ମାଉସୀ ପାଶେ, ସେ ଗୁଣ୍ଡିଚା ରାଣୀ. 

ମହାମାରୀ କଟକଣା ରେ ହେଲା ତ ଯାତ୍ରା, 

ରଥଯାତ୍ରା ତୁମ, ନୁହେଁ ତ ଏ ଘୋଷଯାତ୍ରା.......... 


ନାହିଁ ସେ ବଡ଼ଦାଣ୍ଡେ ଭକ୍ତଙ୍କ ଭିଡା ଭିଡି, 

ନାହିଁ ବି ପଣ୍ଡା ପ୍ରତିହାରୀ ଙ୍କ ବି ସେ ରଡି. 

ଶୁଭେନାହିଁ ଝିଅ ବୋହୁଙ୍କ ତ ହୁଳ ହୁଳି, 

ନ ହୁଅନ୍ତି ପଣ୍ଡାଏ ଏବେ ତ କୋଳା କୋଳି. 

ଶୁଭେନାହିଁ ତୁମ ନାମେ ଭକ୍ତଙ୍କର ହୁରି, 

କିନ୍ତୁ ଲାଗିଛି ତୁମ ରଥେ ସେହି ଦଉଡି. 

ପଣ୍ଡା ପ୍ରତିହାରୀ ମୁଖେ ବାନ୍ଧିଛନ୍ତି ତୁଣ୍ଡି, 

ଛେରା ପହଁରା ରେ ରାଜା ହାତେ ଧରି ହାଣ୍ଡି. 

ସବୁ ନୀତି ନିୟମେ ହେଲା ତୁମ ପହଣ୍ଡି, 

କିନ୍ତୁ ଏବେ ଶୂନସାନ ଅଛି ସବୁ ମଣ୍ଡି. 

କେମନ୍ତେ ଏମିତି କରୁଅଛ ତୁମେ ଯାତ୍ରା, 

ରଥଯାତ୍ରା ତୁମ, ନୁହେଁ ତ ଏ ଘୋଷ ଯାତ୍ରା...... 


ଏଡେବଡ ଯାତ୍ରା ତୁମ, ନଟିଆ ନାଗର, 

ଏକା ଏକା କେମିତି ଯିବ ମାଉସୀ ଘର ?

ଖାଲି ସଙ୍ଗେ ଘେନି ତୁମ ଭାଇ ଓ ଭଉଣୀ, 

ଲାଗେ ସତେ ଭକ୍ତଙ୍କୁ ତୁମେ ଭୁଲି ଗଲଣି. 

କି ବା ଅପରାଧ ଆମେ ସଭିଏଁ କରିଲୁ ?

ତୁମ୍ଭ ଏ ଯାତ୍ରାରୁ ଏବେ ତ ବଞ୍ଚିତ ହେଲୁ. 

କାହିଁ ପାଇଁ ତୁମେ ପ୍ରଭୁ ଦେଲ ଏହି ଦଣ୍ଡ, 

ନଦେଖିଲୁ ଆମ୍ଭେ ଏବେ ତୁମ ବଡ଼ଦାଣ୍ଡ. 

ତୁମେ ତ ତାରଣହାରି ଆହେ ଦୀନବନ୍ଧୁ, 

କେବେ ତୁମ କୃପା ହେବ କୁହ କୃପାସିନ୍ଧୁ ?

ଟାଣି ତୁମ ରଥ ଦଉଡି ଦେଖିବୁ ଯାତ୍ରା, 

ରଥଯାତ୍ରା ତୁମ, ନୁହେଁ ତ ଏ ଘୋଷଯାତ୍ରା...... 


ଆହେ ମହାବାହୁ ତୁମେ କେମିତି ସହିଛ?

ତୁମ ଚକାଆଖିରେ ବି କେମିତି ଦେଖୁଛ ?

ବରଷକେ ଥରେ ତୁମ ମନ୍ଦିର ତ ଛାଡ଼, 

ଜଗତ ଠାକୁର ତୁମେ ଅଟ ଦିଅଁ ବଡ଼. 

ଜାତି ଧର୍ମ ସଭିଙ୍କୁ କର ତ ଏକାକାର, 

ସଭିଙ୍କୁ କୋଳେଇ ତୁମେ କର ଆପଣାର. 

କରୁଣାସାଗର ତୁମେ ବୁଝି କି ପାରୁନ, 

ବଞ୍ଚିତ କଲ ଏବେ ନ ଦେଇ ଦରସନ. 

କେତେଦିନ ଆଉ ତୁମେ ଏମିତି ରହିବ ?

ମହାମାରୀ କୁ କେବେ ହେ, ଦମନ କରିବ ?

ଦୂରେ ଥାଇ ସର୍ବେ ଦେଖନ୍ତି ଏବେ ଏ ଯାତ୍ରା,

ରଥଯାତ୍ରା ତୁମ, ନୁହେଁ ତ ଏ ଘୋଷଯାତ୍ରା.........  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy