ନୁହେଁ ମୁଁ ମାତୃଦ୍ରୋହୀ
ନୁହେଁ ମୁଁ ମାତୃଦ୍ରୋହୀ
ନିୟତିର ଚକ୍ରାନ୍ତରେ
ଜନ୍ମନେଲି ଏକ ଗରିବ ପରିବାରରେ
ଦୁଃଖ କରିନି
ଜୀବନକୁ କରିନି ଘୃଣା ।
ସହିଛି ପଥର ପରି
ପେଟର ଭୋକ ମେଣ୍ଟାଇଛି
ମୁନ୍ଦିଏ ପାଣିରେ ।
ଝଡ଼ ତୋଫାନ ପରେ
ସଜାଡ଼ିଛି କୁଡ଼ିଆକୁ ନିଜ ହାତରେ ।
ବୟସ ବଢ଼ିଲା
ଯୌବନର ମୋହରେ
ଦେଖିଲି ସପନ ।
ସଂସାରର ନିୟମ ମାନି
ଗଢିଲି ପରିବାର ।
ସ୍ଥିର କଲି ସେମାନଙ୍କୁ
ସହିବାକୁ ଦେବି ନାହିଁ ମୋ ପରି ଯନ୍ତ୍ରଣା
ଏଣେ ତେଣେ ଖୋଜିଲି କର୍ମ
ହତାଶ ହୋଇ ମଧ୍ୟ
ହରାଇନଥିଲି ନିଜ ଉପରେ ବିଶ୍ୱାସ ।
ଚାଲିଗଲି ଅନ୍ୟରାଇଜ
ଖଟିଲି ନିଜ ରକ୍ତ ବୁହାଇ
ଦିନସାରା ,
ସନ୍ଧ୍ୟାରେ କେଇଟା ଟଙ୍କା ମୁଠାଇ
ଫେରୁଥିଲି ବସାକୁ ।
ଖର୍ଚ୍ଚ ପରେ ବଳକା ଅର୍ଥକୁ ସଞ୍ଚୁଥିଲି
ପରିବାର ପାଇଁ ,
ସାହସ ଦେଇଥିଲି ସ୍ତ୍ରୀ କୁ,
ପିଲାଙ୍କୁ ମଣିଷ କରିବା
ଦୂରେଇ ଦେବା ଦୁଃଖର କାଳିମାକୁ ।
ଅର୍ଥ ଲୋଭରେ ନୁହେଁ,
ଵିବେକ ହରାଇ ନୁହେଁ,
ନିଜ ପରିବାର ମୁହଁରେ ଟିକିଏ ଖୁସି ପାଇଁ
ଦୂରେଇଗଲି ମାଆ କୋଳରୁ,
ନିଜ ବାହୁ ଆଉ ଭଗବାନଙ୍କ ଉପରେ ଭରସା କରି ।
ଦୃଢ଼ କଣ୍ଠରେ କହୁଛି
ନୁହେଁ ମୁଁ ମାତୃଦ୍ରୋହୀ,
ମାଆକୁ ପ୍ରାଣ ଭରି ଭଲପାଉଥିବା
ଅସହାୟ ଶ୍ରମିକଟିଏ ।
ଦିଅନା ମୋତେ ପ୍ରବାସୀର ଆଖ୍ୟା
ଚାହେଁନା ଅନୁକମ୍ପା
ଚାହେଁ କେବଳ ଅଧିକାର
ଚାହେଁ ଶାନ୍ତିରେ ,ସମ୍ମାନରେ ବଞ୍ଚିବା ପାଇଁ ।