ନଣନ୍ଦକୁ କହିବନି
ନଣନ୍ଦକୁ କହିବନି
ଗାଆଁର କନିଆ ସିଙ୍ଘାଣିନାକୀ,
କହୁଥିଲ ପରା ଭାଇକୁ ଡାକି ।
ଘର ଲୋକ ଦେଲେ ମତ;
କଣେଇ ଦେଖିଛି-ଡରି ଥରୁଥିଲ
ଧରିଲାବେଳେ ମୋ ହାତ ।
ବିଶି ଆଙ୍ଗୁଠିରେ ଟିପିଲି ଯେବେ,
ହାଉଳି ଖାଇଲ ବେଦୀରେ ତେବେ ।
ଚମକିଲେ କିଛି ଲୋକ;
କଥାଟାକୁ ବୁଝି ବଉଳ କହିଲା,
"ବରଟା ନୁହେଁ ଚାଲାକ ।
ସଳଖି କରି ସେ ବସୁନି ଜମା,
ଭଲକି ବିଧାଟେ କଷିଲୁ ଟୁନା ।
ଛାଡ଼ିଯାଉ ତା'ର ଖୋଇ;
ଆମ ସାଙ୍ଗେ ଟିକେ ହସଖୁସି ନାହିଁ
ମାରିଲାଣି ଦେଖ ହାଇ ।"
ପିନ୍ଧେଇଲା ବେଳେ ହାତରେ ଘଡ଼ି,
ଥାଉ ଥାଉ କହି ଛାଡ଼ିଲ ରଡ଼ି ।
ଏବେ ତ ବୁଲୁଚ ନାଇ;
ବାହାନା କାଢ଼ିକି ନିଇତି ଆସୁଚ
ତମେ ଆମ ଘର ହେଇ ।
କହୁଥିଲ ସାଇ ଭାଉଜ ଆଗେ,
ଭଲ ପଡ଼ୁଛି ତ ମୋ ମାଆ ସଙ୍ଗେ ।
ସିଙ୍ଘାଣି ଫିଙ୍ଘାଣି ନାହିଁ;
ଘର କାମ ସବୁ କରି ସେ ନେଉଛି
ମିଛ ମୁଁ କହିବି କାହିଁ !
ଇସ୍କୁଲରେ ମୋତେ ଦିଏ ଡରେଇ,
ଉଠ ବସ କରେ କାନ ଧରେଇ ।
ବହି ଖାତା ନେଇ ପରା;
ମାଗିଲା ବେଳକୁ ଧମକାଏ ମୋତେ
'ଦିନରେ ଗଣି ନେ ତା'ରା' ।
ସେଥିପାଇଁ କରୁଥିଲି ପା' ମନା,
ପଚାରିଲ ବୋଲି କହିଲି ସିନା ।
ନଣନ୍ଦକୁ କହିବନି;
ଜାଣିଲେ ସେ ମୋତେ ଚିଡ଼େଇବ ଖାଲି
ରଖେଇ ଥୋଇ ଦେବନି ।
ଜାଣିଗଲି ସେଇ ଅସଲ କଥା,
ପିଲା ଥିଲି ସେବେ ବୁଦ୍ଧି ବି ତଥା ।
ଜୀବନ ସାଥୀ ଯେ ଏବେ;
ସୁଖେ ଦୁଃଖେ ତୁମ ଭାଗୀଦାର ହେବି
ଆଖି ବି ଦେଖାଇ କେବେ ।