ନିଷ୍ଠୁର ସମୟ
ନିଷ୍ଠୁର ସମୟ
ମ୍ଳାନ ଗୋଧୂଳିର ରଙ୍ଗ ହଜିଲାଣି
ସଞ୍ଜ ପରେ ହେବ ରାତି,
ନିଷ୍ଠୁର ସମୟ ଗିଳି ଦେବ ପରା
ସୂର୍ଯ୍ୟଙ୍କର ମହାଜ୍ୟୋତି |
ସମୟ କାହାକୁ ପ୍ରତୀକ୍ଷା କରେନା
ଅବାରିତ ତାର ଗତି,
ବୁଝେନା ବି କେବେ ଯନ୍ତ୍ରଣା କାହାର
ଭରା ଫଗୁଣର ପ୍ରୀତି |
ବୁଝେନା ବାର୍ଦ୍ଧକ୍ୟ ଭରିଦିଏ ଦୁଃଖ
ଅଲୋଡ଼ା ଯେମିତି ସିଏ,
ନିଷ୍ଠୁର ସମୟ ପର କରେ ସବୁ
ଶରୀରେ ଯାତନା ଦିଏ |
ସମୟ ଅଟଇ ମହାକାଳ ପରା
ନିଜ ପର ଜାଣେନାହିଁ,
କଞ୍ଚା ବା ପାଚିଲା ବୁଝେନାହିଁ କିଛି
ଅସମୟେ ଯାଏ ନେଇ |
କେତେ ଯେ ସାମ୍ରାଜ୍ୟ ଗିଳିଛି ସମୟ
ଇତିହାସ ଅଛି ସାକ୍ଷୀ,
କେତେ ରାଜା, କେତେ ରୂପବତୀ ରାଣୀ
କାଳ ଯେ ଦେଇଛି ଭକ୍ଷୀ |
ନେଇଛି ସମୟ ମମତାଜ ଆଉ
ସାହାଜାହାନଙ୍କ ପ୍ରୀତି,
ପ୍ରୀତିର ସ୍ମାରକୀ ତାଜମହଲ ଯେ
ଭରିଛି କେବଳ ସ୍ମୃତି |
ଅତି କମନୀୟା ଭରା ଯଉବନୀ
ରୂପେ ମହକାଏ ଧରା,
କାଲି ସେ ରୂପରୁ ରଙ୍ଗ କାଢିନେବ
ନିଷ୍ଠୁର ସମୟ ପରା |
ସମୟ ଅଟେ ଯେ କ୍ରୁର ମହାକାଳ
ଅନ୍ୟ ନାମ ତାର ଯମ,
କର୍ମଫଳ ଦାୟୀ ନିଷ୍ଠୁର ସତ୍ୟ ସେ
କରେ ସବୁ କାର୍ଯ୍ୟକ୍ଷମ |
ପାପକର୍ମ ପାଇଁ ଶାସ୍ତି ଆସିଥାଏ
ସମୟ ସ୍ରୋତରେ ଭାସି,
କାହାର ମଥାରୁ ସିନ୍ଦୂର ପୋଛଇ
ନହୋଇ ବାସର ବାସି |
ସମୟ ସତେ କି ନିଜେ ହିଁ ଈଶ୍ୱର
ବିଚାରର ମହାଶକ୍ତି,
ସଂସାର ବୁକୁରେ ଖେଳେ ବିଭୀଷିକା
ରଖିଯାଏ ତିକ୍ତ ସ୍ମୃତି |
