STORYMIRROR

Panchanan Jena

Tragedy

4  

Panchanan Jena

Tragedy

ନିରୁତ୍ତର ନୂଆବର୍ଷ

ନିରୁତ୍ତର ନୂଆବର୍ଷ

1 min
3

କବିତା - ନିରୁତ୍ତର ନୂଆବର୍ଷ
 ରଚନା - ପଞ୍ଚାନନ ଜେନା
 ତାରିଖ -୩୧-୧୨-୨୦୨୫
+++++++++++++++++
 କାକର ଭିଜା ପତ୍ର ପିଠିରେ
 ଶୀତ ଲେଖିଲାଣି ନୂଆ ବାରତା
କୋହଲା ଡିସେମ୍ବର କାନ୍ଧରେ ଓହଳେଇ
ପାଦ ଦେବାକୁ ବସିଲାଣି ଜଗତଜିତା
ବୋଧେ ନୂଆ ବର୍ଷର ପଦପାତ
ବୋଧେ ନୂଆ ବର୍ଷର ଆବାହନୀ ସ୍ୱାଗତ

 ରାସ୍ତା କଡ଼ରେ ବାଉଁଶରେ ଟଙ୍ଗା ହେଲାଣି
ଅଧାକଟା ଖାସିର ମୁଣ୍ଡ କେଇଟା
ବଣ ଭୋଜିର ଅନନ୍ତ ଆସର ଜମିଲାଣି
 ମାତାଲି ମାନଙ୍କର ଉଦଣ୍ଡନୃତ୍ୟ କାନଫଟା
ଧନୀ ମାନୀ ଦୁର୍ଯ୍ୟୋଧନ ମାନେ ଝୁମିଲେଣି
 ଜିରୋ ନାଇଟରେ ଫାଇଟ କୁଟକୂଟା

 ଫି ବର୍ଷ ନୂଆ ବର୍ଷ ଆସେ
କ୍ୟାଲେଣ୍ଡର ପୃଷ୍ଠା ବଦଳେ ହରଷେ
 ବରଫ ପାଲଟୁ ଥିବା ଅଭାଗା ଗରିବ ଗୁରୁବା
କେବଳ ହାଁ କରି ଅନାନ୍ତି ପରସେ
ନୂଆ ବର୍ଷରେ ଟଙ୍ଗା ବ୍ୟାନର ମାନଙ୍କୁ ରୋଷେ

 ମନର ମଟାଳ ମାଟିରେ କୋହ
ଭାଗ୍ୟର ପଥର ତଳେ ତତଲା ଲୁହ
ସବୁ ଫେଣ୍ଟା ଫେଣ୍ଟି ଗୋଳେଇ ମିଳେଇ
କେବଳ ପଚାରି ଚାଲନ୍ତି
ଅନବରତ ପ୍ରଶ୍ନ ପରେ ପ୍ରଶ୍ନର ସୁଅ

 ଭଙ୍ଗା ଦଦରା ସାଇକେଲ ପ୍ୟାଡେଲରେ
ଲାଗିଥିବା ନାଲି ମାଟିକୁ ପଚାରିପାର
ଧାନ କାଟୁଥିବା ମଣିଷର ଝାଳୁଆ ଫଟା ଚିରା
ମଇଳା ସାର୍ଟକୁ ପଚାରିପାର
ଜରି ବୋତଲ ସାଉଁଟା ଫ୍ରକପିନ୍ଧା କୁନିଝିଅକୁ ପଚାରିପାର
ମାଣ୍ଡିଆ ଜାଉରେ ବଢ଼ିଥିବା କାଶିପୁରର କରିସ୍ମାକୁ ପଚାରିପାର
ଚାଳିଆ ହୋଟେଲ ମୋଟଲରେ ମାଡ଼ଗାଳି ଖିଆ
ଶିଶୁ ଶ୍ରମିକ ଦୀପୁକୁ ପଚାରିପାର
ସୁରାଟ ସୂତା କଳରେ ଖଟୁଥିବା କୂଳପ୍ରଦୀପ
 ଦାଦନକୁ ପଚାରିପାର
ତରୁବନନ୍ତପୁର କରତକଳରେ ଗୋଟିଏ ହାତ କଟା
ପାଇକ ପୁଅକୁ ପଚାରିପାର
ମନ୍ଦିର ଆଗରେ ଭିକମାଗୁଥିବା ମାଳମାଳ
 ଭିକାରୀକୁ ପଚାରିପାର
 ଅନ୍ଧଲଉଡିର ହତାଦରରେ ନିଃଶଙ୍ଗ ଜୀବନ କାଟୁଥିବା
ଅଶିତିପର ରୁଗ୍ଣ ମଉସାଙ୍କୁ ପଚାରିପାର
 ଜରାନିବାସରେ ବଳକା ବୟସ କାଟୁଥିବା
ବିଧବା ମାଉସୀଙ୍କୁ ପଚାରିପାର
 ମାଲକାନଗିରିର ମାମାଲି ତଥା ନାଗଡ଼ାର ତମ୍ପଡ଼ାକୁ ପଚାରିପାର
 ନୂଆ ବର୍ଷର ପରିଭାଷା କ'ଣ ?

 କେବଳ ପେଜୁଆ ଆଖିତଳେ ଲମ୍ବା ଦୀର୍ଘଶ୍ଵାସ
ଅଧାପନ୍ତରିଆ ବିଜୁ କୁଡିଆ ଉପରେ
 ମାଡି ଚାଲିଥିବା ଲାଉ-ପୋଇ-କଖାରୁ ଡଙ୍କପରି ଅ
ବହେଳିତ ମାନବିକତା ପରି
 ନିଦା ପାହାଡ଼ ପର୍ବତ ପରି ନିରୁତ୍ତର ନୂଆବର୍ଷ


Rate this content
Log in

Similar oriya poem from Tragedy