ନିରୁଦ୍ଦିଷ୍ଟ
ନିରୁଦ୍ଦିଷ୍ଟ


ଆଜି କାଲି ସେ ଆଉ
ଆକାଂକ୍ଷାର ବିଶାଳ ସମୁଦ୍ରକୁ ଦେଖି
ହତୋତ୍ସାହିତ ହେଉନାହିଁ ।
ନିର୍ଜନ ବେଳାଭୂମିରେ
ସମୁଦ୍ରକୁ ପିଠି କରି
କାନରେ ହାତ ରଖି ବସି ରହିଥିଲା ଦିନେ ,
ତୁ ଭେନସ୍ ନହୋଇ
ଯଦି ବାଟ ମଙ୍ଗଳା ହୋଇଥିବୁ
ତେବେ ପାଉଁଜି ରୁଣୁଝୁଣୁ କରି
ନାଲି ଟହ ଟହ ଶାଢ଼ୀ ପିନ୍ଧି ଆସିବୁ ।
ଅପେକ୍ଷାରେ ଦିନ ପରେ ଦିନ
କାହିଁ କେତେ ଯୁଗ ବିତିଗଲା.... ।
ନିଶ ଦାଢ଼ି ତା'ର ଲମ୍ବି ବାଲି ସହ ମିଶି
ହୁଙ୍କା ପାଲଟି ଗଲା ,
ସମୁଦ୍ରର ଗର୍ଜନ ଟିକିଏ ବି
ଶୁଭିଲାନି ତାକୁ ଆଉ ।
ସୈଣ୍ଡ୍ରୋ ବୋଟୀସେଲୀଙ୍କ ଭେନସ୍ ଭଳି
ତୁ ସେଇମିତି ଖୋଲା ଶାମୁକା ଉପରେ
ଅଣ୍ଟାଭାଙ୍ଗି ଲମ୍ବା କେଶରେ
ତୋ କୁମାରୀତ୍ୱକୁ ଲୁଚାଇ ଠିଆ ହୋଇଥାଉ ।
କାହିଁ କେତେ ଯୁଗ ପରେ....
ହୁଙ୍କା ବଢ଼ିଯାଇ ବିଶାଳ ପାହାଡ଼ର ରୂପ ନେଲା ।
ତା' ତପ କି ନିଦ ଭାଙ୍ଗିବାକୁ
ଲହଡ଼ି ସତଚେଷ୍ଟା କଲେ ବି
ସେ ଥିଲା ଅଚଳ ଆଉ ଅଟଳ ।
ଦିନେ ତୁ ଉଗ୍ରରୂପ ଧରି
ତାକୁ ଭାଙ୍ଗିବାକୁ ତୋଫାନ
ଆଉ ବିଜୁଳି ହୋଇ ଗରଜି ପଡ଼ିଲୁ ।
ପାହାଡ଼ ଫାଟି ଆଁ କଲା ,
ପଥର ସବୁ ବରଫ ଭଳି ତରଳି ଗଲା
ତା'ପରେ ସବୁ ଜଳ ମଗ୍ନ ।
ଧୂଳି ଟିକିଏ ବି ନଥିଲା
ତା'ର ସତ୍ତାକୁ ପ୍ରମାଣିତ କରିବାକୁ ।
ସେବେଠୁଁ ଆଜିଯାଏଁ
କେହି କେବେ ଭେନସ୍ କୁ
ଦେଖି ନାହାନ୍ତି କି
ବାଟ ମଙ୍ଗଳାର ପାଦ ଶବ୍ଦ
ଆଉ ପାଉଁଜିର ରୁଣୁଝୁଣୁ
ଶୁଣି ନାହାନ୍ତି..... ।