ନିର୍ଜନତାର ଖୁସି
ନିର୍ଜନତାର ଖୁସି
ଜାଣେନା ମୁଁ କେତେ ରାତି ଉଜାଗର ରହି
ତୁମକୁ ଅପେକ୍ଷା କରିଛି କାହିଁ କେତେବେଳୁ
ଭାବାନ୍ତରେ ଦେଖିଛି ତୁମ ପ୍ରତିଛବି
ଝଲସୁଥାଏ ମୋ ସ୍ମୃତି ମୁକୁରରେ
ନିରବ, ନିଥର ପୃଥିବୀ ଶୋଇଗଲାପରେ
ତୁମ ଆସିବା ପଥକୁ ଦେଖେ ମୁଁ
ବାର ବାର ଦର ଆଉଜା କବାଟ ଫାଙ୍କରେ।
ତାରାମାନେ ଶୋଇ ଗଲେଣି
ନୀଳ ଆକାଶକୁ ଚଦର କରି,
ଚାନ୍ଦ ବି ଲାଜରେ ଓଢଣୀ କରିଦେଲାଣି
ଦେଢଶୁର ତପନ ଆଗମନରେ,
ଶୃଗାଳ, ପେଚା ନିଜ କୋରଡ଼ରେ
ଏବେ ବାଜ ଆଉ ବ୍ୟାଘ୍ର ଭୟରେ।
ଚାରିଆଡେ ଖାଁ ଖାଁ, ନିରବ, ନିର୍ଜନତା
ଅର୍ଦ୍ଧ, ଉର୍ଦ୍ଧ, ତଳ, ଅବତ୍ତଳ, ଉତ୍ତଳ,
ସବୁଠି ପରିବ୍ୟାପ୍ତ କେବଳ ଶୂନ୍ଯତା।
ସମଗ୍ର ପରିବେଶ ଏକାକାର, ନିରବ, ନିର୍ଜନ
ରାତ୍ରିର ବ୍ଯଥାତୁର ପ୍ରତିଶୃତିବଦ୍ଧ ଲୁହ
କାକର ବିନ୍ଦୁରେ ଗଗନ ପବନ ଧୂମାଭ
ତାରା, ଚାନ୍ଦ ଆଲୋକରେ ତ ଆସିଲ ନାହିଁ
ଅଳ୍ପ ଛାଇ ଆଲୁଅ - ମାଛି ଅନ୍ଧାର ପ୍ରାତଃ ମହୀ
ଏମିତି ଏକ ଦିବ୍ଯ ମୂହୁର୍ତ୍ତ କୁ ଆପଣେଇବାରେ
ଏତେ ହନ୍ତ ସନ୍ତ କରୁଛ କାହିଁପାଇଁ ?
ତୁମେ ନ ଆସିଲ ନାହିଁ
ନିର୍ଜନତାକୁ ମୋ ଠାରୁ ଦୂରେଇ ନିଅ ନାହିଁ
ଏବେ ଆଉ ବୁଝିବାକୁ ବାକି କିଛି ନାହିଁ
ତୁମେ ବୁଝ କି ନ ବୁଝ, ମୁଁ ବୁଝୁଛି -
ଏଠି ବଞ୍ଚିବାକୁ ହେଲେ
ନିର୍ଜନତାକୁ କରିବାକୁ ହେବ ନିଜର ସାଥୀ।
ଶାନ୍ତି ତ ମିଳିଲା ନାହିଁ ଭୌତିକ ଆନନ୍ଦରେ
ହୁଏତ ମୋକ୍ଷ ମିଳିଯିବ ବ୍ରହ୍ମାନନ୍ଦ ଙ୍କ ଆଶିଷରେ।

