ନିରବତା
ନିରବତା
ଚାରିଆଡ଼େ ନିରବତାର ପଦଚିହ୍ନ,
ଦୂର ଦିଗନ୍ତ ପର୍ଯ୍ୟନ୍ତ ପହଞ୍ଚି ପାରୁନଥିଲେ
ମୋ ଦୃଷ୍ଟିର ଲହରୀମାଳା ସବୁ୍,
ମିଳେଇ ଯାଉଥିଲେ ଗୋଟିକ ପରେ ଗୋଟିଏ,
ଠିକ୍ ଯେପରି ଉତ୍ଫୁଲିତ ସାଗରର
ଫେନୀଳ ଲହରୀମାନେ
ମିଳେଇ ଯାଆନ୍ତି ବେଳାଭୂମିରେ ମଥା ପିଟି ।
ଶ୍ରାବଣର ସୁନ୍ଦର ଗୋଧୂଳିକୁ ବର୍ଷାଟା
ଭିଜେଇ ଦେଇ ଚାଲିଗଲା,
ତୁହାକୁ ତୁହା କାଲୁଆ ପବନ ସାଙ୍ଗକୁ
ମେଞ୍ଚା ମେଞ୍ଚା ବହଳିଆ ଅନ୍ଧାର
ଦେହଟାକୁ କାଲୁଆ କରୁଥିଲା ,
କାହା ଆଖିର ଉଷ୍ମ ଅଶ୍ରୁ
ଉଷ୍ମତା ବଦଳରେ
ଆହୁରି ଅଧିକ ଶୀତଳ କରୁଥିଲା
ତା'ର ପ୍ରତିଟି ଶୀରା ପ୍ରଶୀରାକୁ ।
ସେ ଚାଲିଗଲା ଏକୁଟିଆ ହୋଇ
କାରଣ ଏ ଯାତ୍ରାରେ
ସମସ୍ତଙ୍କୁ ଏକୁଟିଆ ଯିବାକୁ ପଡିଥାଏ ,
ତା ପୂର୍ବରୁ ଅନେକ ଏକୁଟିଆ ଯାଇଛନ୍ତି,
କିଏ ବି ଜଣେ ହେଲେ ଫେରିନାହାଁନ୍ତି
କେବଳ ଫେରିଛି ସେହି ନିରବତା ।
>
ଏବେ ବି ସେହି ନିରବତା
ମଝିରେ ମଝିରେ ଖାଲି ଯାହା
ଆମ୍ବୁଲାନ୍ସର କରୁଣ ସ୍ୱର
କିଛି ସମୟ ପାଇଁ ।
ଶ୍ମଶାନରେ ବି ନିରବରେ
ଅବିରତ ଜଳୁଛି ଚିତାଗ୍ନି,
ନା କେହି ଆତ୍ମୀୟ ସ୍ୱଜନ ନା
ପୁତ୍ର କିମ୍ବା କନ୍ୟା ଅଛନ୍ତି ମୁଖାଗ୍ନି ଦେବାକୁ ।
ସତରେ ସବୁ କିଛି ନିରବି ଗଲାଣି,
ନିରବତା ଭିତରେ ଆମେ
ପ୍ରୟାସରତ ବଞ୍ଚି ଶିଖିବାକୁ ।
ଦିନେ ବୟସକୁ କହିଥିଲି
ଟିକିଏ ଅଟକି ଯାଆନ୍ତୁନି ?
ହସି ହସି ସେ କହିଥିଲା -
ମୁଁ କଣ କେବେ ଅଟକି ପାରିବି ?
ପାରୁଛ ତ ମୋ ସାଙ୍ଗରେ ଆସ ।
କହିଥିଲି- କେମିତି ଯାଇପାରିବି
ଏ ରଙ୍ଗୀନ ଦୁନିଆ ,ମଜା, ମସ୍ତି ଆଉ
ଭରପୁର ଯୌବନକୁ ଛାଡିଦେଇ ?
କିନ୍ତୁ ଦିନେ
ସବୁକିଛି ଛାଡିଦେଇ
ଯିବାକୁ ପଡେ ଏ ରଙ୍ଗମଞ୍ଚରେ -
ଏ କଥା ମୁଁ ବି ଜାଣିଥିଲି ।
ଏଠି କେବଳ ନିରବତା ହିଁ ଚିରସ୍ଥାୟୀ ।