ନିଖୋଜ ସମ୍ପର୍କ
ନିଖୋଜ ସମ୍ପର୍କ
ତୁମେ ଖୋଜିବନି
ମୁଁ ବି ଖୋଜିବିନି
ଖୋଜିବାନି କେହି କାରେ
ହୃଦୟ ଖୋଜିଲେ
ସହିଯିବା ବ୍ୟଥା
ଚୁପଚାପ ନୀରବରେ l
କେବେ ଯଦି କାହିଁ
ହେଇଯିବ ଦେଖା
ବାଟ ଭାଙ୍ଗି ଯିବା ଚାଲି
ରୋକି ନେବା ଲୁହ
ବେଦନାର କୋହ
ହୃଦୟକୁ ଜଣା ବୋଲି l
ପାନ୍ଥଶାଳା କାନ୍ଥେ
ଏମିତି ତ କେତେ
ଠିକଣା ହୁଅଇ ଲେଖା
କେବେ ସେ କଳଙ୍କ
ଅଙ୍ଗାରରେ ସିକ୍ତ
କେବେ ସେ ରଙ୍ଗୀନ ରେଖା l
କାହିଁ କେତେ ଦୂରେ
ଚାନ୍ଦ ଓ କୁମୁଦ
ସମ୍ପର୍କର ଅଭିସାରେ
ଜଣେ ତ ଗଗନେ
ଆନ ସରସୀରେ
ଚାହିଁଥାଏ ପରସ୍ପରେ l
ପୂର୍ଣ୍ଣମୀ ତିଥିରେ
ପୂର୍ଣ୍ଣାହୁତି ହୁଏ
ପ୍ରତୀକ୍ଷାର ମହାଯଜ୍ଞ
ଅବୁଝା ହୃଦୟ
ଅଜ୍ଞାତ ସମ୍ରାଜ୍ୟେ
ସଜାଏ ସ୍ୱୟଂ ସାମ୍ରାଜ୍ଞ l
ଦେଖିଛ କି କେବେ
ଆକାଶ ପୃଥିବୀ
ମହାମିଳନର ଛବି
ମାୟାର କୁହେଳି
ପ୍ରତାରିତ କରେ
ଅସମ୍ଭବ କଥା ଭାବି l
ବିସ୍ତିର୍ଣ୍ଣ ଆକାଶ
ପ୍ରୀତିର ପରାଗେ
ନଇଁ ଆସେ ଅନୁରାଗେ
ତୃଷିତ ଧରଣୀ
ବିମଗ୍ଧ ବିମୋହ
ଏମିତିକା ଛବି ଲାଗେ l
ହୃଦୟ କେ ପଢେ
ଅବା କିଏ ବୁଝେ
ଆବେଗର ବ୍ୟାକୁଳତା
ପ୍ରକୃତି ପ୍ରଣୟ
ଭାବୁକ ହିଁ ବୁଝେ
ରଚେ ବିରହ କବିତା l
ପ୍ରଚଣ୍ଡ ନିଦାଘ
ବୈଶାଖୀର ତାତି
ଜାଳିଦିଏ ଯେବେ ତନୁ
ପ୍ରାଣପ୍ରିୟା ଦୁଃଖ
ପ୍ରଶମିତ ପାଇଁ
ବରଷା ଝରେ ଗଗନୁ l
ଯିଏ ଯେତେ ଦୂରେ
ହୃଦୟର ତ ଝୁରେ
ଦେହ ତ ଜୁଇରେ ସରେ
ଲେଖିଦିଏ ନାଆଁ
ମାନସ ପଟରେ
ଆତ୍ମା ସାଥେ ପ୍ରତି ଡୋରେ ।।