ନିଜ ସହ ସାକ୍ଷାତକାର
ନିଜ ସହ ସାକ୍ଷାତକାର
କେବେ ଭାବି ନ ଥିଲି ଆକସ୍ମିକ ଭାବେ
ଏକ ସଞ୍ଜରେ ସାକ୍ଷାତକାର ହେବ ନିଜ
ସହ ନିଜର, ରାସ୍ତାର ବୁଲାଣି ମୋଡରେ।
କେବେ ଭାବି ନ ଥିଲି ମୋ ଅନ୍ତରାତ୍ମା
କେମିତି ଖୋଜୁଛି ନିଜକୁ ଅବୁଝା ପଣରେ!
କଣ ଚାହୁଁଥିଲି ଓ କଣ ମୁଁ ହୋଇପାରିଛି
ଫରକ ନାହିଁ, ଯାହା ହୋଇଛି ସେଥିଲାଗି
ଗର୍ବ ଅନୁଭବ କରିବା ଶିଖିଛି ଜୀବନରୁ।
ଏକଥା ବି ଜାଣି ନ ଥିଲି ଯେ କେହି ଜଣେ
ମୋ ପରି ଅବିକଳ ଅଛି, ଅପେକ୍ଷା କରିଛି
ବିସ୍ମୟକର ଭାବେ ଭେଟି ବାର୍ତ୍ତା ଦେବାକୁ !!
ସବୁଦିନ ପରି ସନ୍ଧ୍ୟାବେଳେ ସେ ରାସ୍ତାରେ
ଚାଲୁଥିଲି। ୱାନ ୱେ ଟାଫିକ। ଫୁଟପାଥ୍
କଡରେ କୃଷ୍ଣଚୂଡା, କାଗଜ ଫୁଲର ଗଛ,
ଫେରିବାଲା, ଉଠାଗାଡି ଚାଟ୍ ଦୋକାନ।
ପଥଚାରୀଙ୍କ ଦେହର ଡିଓ, ଅତର ବାସ୍ନା,
ଧାବମାନ ଅସଂଖ୍ୟ ମୋଟର ଯାନର ଭିଡ,
ରାସ୍ତାକୁ କରୁଥାଏ ବ୍ୟସ୍ତ ଓ ଚଳଚଞ୍ଚଳ ।
ଆଗରେ ଟ୍ରାଫିକ ଛକରେ ପାଦ ଅଟକିଲା
ହଠାତ ମୋ ଭଳି ଦିଶୁଥିବା ଚେହେରାର
ବ୍ୟକ୍ତି ସାମ୍ନାସାମ୍ନି ହୋଇ ଛକ ପାର ହେଲା,
ଚକିତ ହୋଇ ଲୋକଟିକୁ କିଛି ପଚାରିବି
ଭାବି ଇଶାରାରେ ଡାକିଲି। ଲୋକଟି ଶୁଣି
ନ ଶୁଣିଲା ଭଳି ଆଗକୁ ଆଗ ଚାଲୁଥିଲା।
କୌତୂହଳ ବଶତଃ ଲୋକଟି ପଛେପଛେ
ବେଶ୍ କିଛି ଦୂର ଯାଏ ଅନୁଧାବନ କଲି।
ଲୋକଟିର ଚେହେରା ଥିଲା ଆକର୍ଷଣୀୟ।
ଫ୍ରେଞ୍ଚ କଟ ଦାଢି, ଆଖିରେ ହଳେ ଚଷମା
ପିନ୍ଧିଥାଏ ଇସ୍ତ୍ରିକରା ଜିନପ୍ୟାଣ୍ଟ, ପାଇଜାମା
ଗୁଣୁଗୁଣୁ ହୋଇ ଗୀତ ଗାଉଥାଏ,ଡାହାଣ
ହାତର ବିଶି ଆଙ୍ଗୁଠିକୁ ବୃତ୍ତାକାର ଭାଵେ
ଘୂରାଇ ଘୂରାଇ ଆଗକୁ ବଢି ଚାଲିଥାଏ ।
ଆଶ୍ଚର୍ଯ୍ୟ ଲାଗୁଥିଲା ଅନ୍ୟମନସ୍କ ହୋଇ
ତା' ଵାଟ ଚଲା ଓ ହାବଭାବର ମେଳକ।
ଭାବିଲି, ସେ ହୁଏତ ମୋ ପରି ଦିଶୁଥିବା
କେହି ଜଣେ ଚିନ୍ତାଗ୍ରସ୍ତ ସଂସାରୀ ମଣିଷ !!
କିଛି ଦୂର ଯିବା ପରେ ଲୋକଟି ଭିଡରେ
ଉଭାନ ହୋଇଗଲା ପରି ମନକୁ ଲାଗିଲା।
ସେତେବେଳକୁ ପହଞ୍ଚି ସାରିଥିଲି ଆଧୁନିକ
ସହରୀ ସଭ୍ୟତା, ସଂସ୍କୃତିର ପ୍ରତୀକ ମୁଁ
ରହୁଥିବା ନୂଆ ଆପାର୍ଟମେଣ୍ଟ ପାଖରେ ।
କିଛି ସମୟ ପରେ ପୁଣି ଲୋକଟି ଫେରି
ଆସିଲା ସ୍ତ୍ରୀ, ଦୁଇପିଲାଙ୍କୁ ସାଥିରେ ଧରି।
ଚାଲିଗଲେ ମୋ ସାମ୍ନାକୁ ଅତିକ୍ରମ କରି ।
ନିଜ ଆଖିକୁ ବିଶ୍ବାସ କରି ପାରୁ ନ ଥିଲି,
କାରଣ ସେମାନେ ଥିଲେ ମୋ ନିଜ ପିଲା
ଯାହାଙ୍କୁ ମୁଁ ଜୀବନଠାରୁ ବେଶି ଭଲ ପାଏ !
"ରୁହ, ରୁହ ଅଟକ !!" ବଡ ପାଟିରେ ସ୍ତ୍ରୀ
ଓ ପିଲାଙ୍କୁ ଡାକିଲି। ସେମାନେ ବୋଧେ
କେହି ବି ଶୁଣି ପାରୁ ନ ଥଲେ ମୋ କଥା।
ଦେଖୁଥିଲି, ରାସ୍ତାକଡର ବଜାରକୁ ଯାଇ
ସେମାନେ ଲେଡିସ କର୍ଣ୍ଣରରୁ ଲିପଷ୍ଟିକ,
ସେଣ୍ଟ, ପାଉଡର କିଣି ଆଣିଲେ। ପରେ
ଚାର୍ଟ ଖାଇବାକୁ ଉଠାଦୋକାନକୁ ଗଲେ।
ଦୁଇପିଲା ହାତରେ ଧରି ମଜା ନେଉଥିଲେ
ଆଇସକ୍ରିମ ଷ୍ଟିକ୍ ଓ ରଂଗିନ ଲଲିପପ।
ସେମାନଙ୍କ ଖୁସିରେ ରାସ୍ତା ହସୁଥିଲା,
ଷ୍ଟ୍ରିଟ ଲାଇଟ ମିଟିମିଟି କରି ଚାହୁଁଥିଲା,
ଦେହକୁ ଧକ୍କା ଦେଉଥିଲା ଫାଜିଲ ପବନ।
ମୁଁ ଥିଲି ନୀରବ ଦ୍ରଷ୍ଟା। ଭାବୁଥିଲି କେତେ
ଅଜବ ଲୋକ, ଡାକିଲେ ଶୁଣୁ ନାହାନ୍ତି !!
ସେମାନେ ବୋଧେ ଏଲିୟନଙ୍କ ଭଳି ଅନ୍ୟ
କେଉଁ ଜଗତରୁ ଆସିଛନ୍ତି ? ନିଛାଟିଆ
ଜାଗାରେ ଆକାଶ ଯାନ ରଖି ବୁଲୁଛନ୍ତି।
ଦ୍ବନ୍ଦ୍ବରେ ବିଶେଷ ଆଲୋଡିତ ହେଉଥିଲି
ଏହା ସ୍ବପ୍ନ କି ନିଦଚାଲି ନ ଥିଲା, ସତ୍ୟ
ପରି ଥିଲା ସ୍ପଷ୍ଟ, ବାସ୍ତବ ଘଟଣାକ୍ରମ ।
ସମ୍ଭବତଃ ମୁଁ ନିଜେ ହିଁ " ମୁଁ " ନ ଥିଲି !!
ଯେତେବେଳେ ଜୀବନ ଆମକୁ କିଛି ଦିଏ,
ତାକୁ ଚିହ୍ନି ପାରୁନା। ଯାହା ଶିଖାଏ ବୁଝି
ପାରୁନା । ପିଲାଦିନେ ଭୁଲିଯାଇ କେଉଁଠି
ଛତା, ଜୋତା ଛାଡି ଆସିବା ଭଳି ଭାବନା
ଓ ଦୁଶ୍ଚିନ୍ତା ଅସ୍ତିତ୍ବକୁ କବଳିତ କରୁଥାଏ।
ବିଚିତ୍ର ଏ ଜୀବନ !! ବହିଃପ୍ରକୃତି ଯେଭଳି
ସଂସାରକୁ ଚଳାଏ,ସର୍ଜନା କରେ ସେମିତି
ଅନ୍ତଃପ୍ରକୃତି ମନଭୂମିକୁ ନିୟନ୍ତ୍ରଣ କରେ।
ଆତ୍ମା ହିଁ ଅନ୍ତଃପ୍ରକୃତିର ଏକ ପ୍ରତିରୂପ,
ଯେଉଁଠି କେବେ ଖରା ତ କେବେ ବର୍ଷା,
କେବେ ବହୁଥାଏ ଫଲଗୁ ଓ ଝଡ ପବନ !!
ଭିଡରେ ଫଶି ନିଜକୁ ଖୋଜିବାର ମାଧ୍ୟମ
'ଚଲାବାଟ'। ପାର୍ଶ୍ବରେ ଥାଏ ବାସ୍ନାହୀନ
ଫୁଲଗଛ, ଯାହାକୁ ପଥଚାରୀ ଦେଖି
ଆମୋଦିତ ହୋଇ ବାଟ ଚାଲନ୍ତି।
ମୁଁ ଫେରି ଆସିଥିଲି ଆପାର୍ଟମେଣ୍ଟ ଘରକୁ।
କେହି ନ ଥିଲେ ସେଠି ଝୁଲୁଥିଲା ତାଲା।
ଛାତକୁ ଯାଇ ରାସ୍ତାକୁ ଚାହିଁ ବସି ରହିଲି
ସ୍ତ୍ରୀ ଓ ପିଲାମାନେ ଫେରିଆସିବା ଯାଏ।
ସେମାନେ ଫେରିଥିଲେ ସଅଳ, ସାଥିରେ
ନ ଥିଲେ ପ୍ରତିରୂପଧାରୀ ଲୋକ ଜଣକ !!
ମୋତେ ଦିଶୁଥିଲା ଏକ ଭିନ୍ନ ଚେତନା ଓ
ଆତ୍ମଦର୍ଶନର ଛବି, ମନେ ହେଲା ଅଜଣା
ବ୍ୟକ୍ତି କିଛି ନ କହି ବି " ଅକୁହା ବାର୍ତ୍ତା "
ଛାଡି ଯାଇଛନ୍ତି ମୋ ଅନ୍ତରାତ୍ମା ପାଇଁଁ !!
*******
