Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

4  

DILIP KUMAR SAHOO

Classics

ନୀତି ଧୂପ ଅବକାଶ

ନୀତି ଧୂପ ଅବକାଶ

5 mins
355



ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥ

ମାନବୀୟ ଲିଳା ପାଇଁ ଜଗତେ କ୍ଷାତ ।

ପହଡ଼ ଭାଙ୍ଗିବା ଠାରୁ ଶୟନ ଯାଏ

ସାରାଦିନ ସେବା ପୂଜା ଲାଗିଯେ ଥାଏ ।

ମଇଲମ ଅବକାଶ ଧୂପ ଆଳତି

ଛତିଶିପାଟକ ନିତି ସେବା କରନ୍ତି।

ଖାଇବା ଠାକୁର ବୋଲି ସାଆନ୍ତେ କ୍ଷାତ

ଷାଠିଏ ପଉଟି ରନ୍ଧା ନିତି ହୁଏତ ।

ସକାଳୁ ରାତି ଯାଏ ହାତ ଶୁଖେ ନାହିଁ

ଛପନ ଭୋଗ ରେ ନିତି ଧୂପ ହୁଅଇ।

ଧୂପ ପରେ ଅବକାଶ ବେଶ ହୁଅନ୍ତି

ଫୁଲ ତୁଳସୀ ପାଟେ ଝଟକୁ ଥାଆନ୍ତି।

ରାତି ନପାହୁଣୁ ଖୋଲେ ବଡ଼ ଦେଉଳ

ମଣିମା ମଣିମା ଡାକ ପଡେ ଚହଳ ।

ଦ୍ବାର ଫିଟା ନୀତି ପାଇଁ ପାଞ୍ଚ ସେବକ

ପ୍ରତିହାରୀ, ମୁଦୁଲି, ଅଖଣ୍ଡ ମେକାପ,

ଭିତରଚ୍ଛ ମହାପାତ୍ର ସାଥିରେ ପୁଣ

ପାଳିଆ ମେକାପ ମିଶି ସେ ପାଞ୍ଚ ଜଣ।

ଜୟ ବିଜୟ ଦ୍ବାରେ ସେମାନେ ଯାଆନ୍ତି

କୋଲପ ର ମୁଦକୁ ତ ପରଖିଥାନ୍ତି ।

ମୁଦୁଲି ତାପରେ ଯାଇ ତାଲା ଖୋଲନ୍ତି

ଦେଉଳ ମଧ୍ୟେ ସବୁ ପ୍ରବେଶ କରନ୍ତି।

ଆରମ୍ଭ ହୁଏ ପ୍ରଭୁ ଙ୍କ ଦୈନିକ ନୀତି

ମଙ୍ଗଳ ଅରଚନା ମଙ୍ଗଳ ଆଳତି।

ଭିତର କାଠ ପାଖେ ଭକତ ଗହଳି

ଜୟଜୟ ଜଗନ୍ନାଥ ପଡେ ଉଛୁଳି।

ଉର୍ଦ୍ଧ ବାହୁ ହୋଇ ଭକ୍ତେ ନାଚ କରନ୍ତି

ଭାବରେ ଭୋଳ ହୋଇ ଆଳତି ଦେଖନ୍ତି।

ମଙ୍ଗଳ ଆଳତି ଯେବେ ହୁଅଇ ଶେଷ

ମଇଲମ ହୁଏ ଗତ ରାତିର ବେଶ ।

ଫୁଲ ତୁଳସୀ ଦୟଣା ଅଙ୍ଗ ବସନ

ଉଲାଗି କରନ୍ତି ମିଶି ସେବକ ଗଣ ।

ତଡ଼ପ ଉତ୍ତରୀ ଦିଅଁ ମାନେ ନାଆନ୍ତି

ଅବକାଶ ପାଇଁ ପ୍ରଭୁ ସଜ ହୁଅନ୍ତି।

ମୁହଁ ଧୋଇଥାନ୍ତି ପୁଣି ଦାନ୍ତ ଘଷନ୍ତି ।              

ଦର୍ପଣ କୁ ଚାହିଁ ପ୍ରଭୁ ମୁହଁ ପୋଛନ୍ତି।

କର୍ପୂର, ଦହି, ବାସ ଚନ୍ଦନ ଅଁଅଳା

ମିଶ୍ରିତ ଜଳ ଦର୍ପଣେ ହୁଅଇ ଢଳା ।

ବିମ୍ବ ସ୍ନାନ କରିଥାନ୍ତି ଚତୁର୍ଦ୍ଧା ମୂର୍ତ୍ତି

ଅବକାଶ ବଢିଲେ ମଇଲମ ନୀତି।

ତଡ଼ପ ଉତ୍ତରୀ ସବୁ ଖୋଲା ହୁଏଟି

ବାରଲାଗି ପାଟ ତହୁଁ ପ୍ରଭୁ ନାଆନ୍ତି ।

ଅପୂର୍ବ ସେ ପାଟ ବସ୍ତ୍ର ଝଲସୁଥାଏ

ସାତଦିନେ ସାତ ରଙ୍ଗ ମନକୁ ମୋହେ।

ରବିବାର ପାଟ ସେତ ବର୍ଣ୍ଣ ଲୋହିତ

ସୋମବାର ପାଟ ରଙ୍ଗ ଧବଳ ଛିଟ ।

ମଙ୍ଗଳ ବାର ପାଞ୍ଚ ରଙ୍ଗ ର ସେ ପାଟ

ବୁଧବାର ନୀଳ ରଙ୍ଗ ପାଟ ଶୋଭିତ।

ଗୁରୁବାର ହଳଦିଆ ଶୁକ୍ର ରେ ଧଳା

ଶନିବାର ପାଟ ରଙ୍ଗ ଅଟଇ କଳା ।

ପାଟ ପରିଧାନ ପରେ ଚତୁର୍ଦ୍ଧା ମୂର୍ତ୍ତୀ

ଫୁଲ ତୁଳସୀ ମାଳରେ ବେଶ ହୁଅନ୍ତି।

ପୁଷ୍ପ ତିଳକ ତଗଡି ପୁଷ୍ପ କୁଣ୍ଡଳ

ପୁଷ୍ପ କରପଲ୍ଲବ ଶ୍ରୀ ପୟର ମାଳ।

କେରି କେରି ଦୟଣା କୁ ତୁଳସୀ ଚୂଳ

ମନ ମୋହିନିଏ ପୁଷ୍ପ ଅଧର ମାଳ ।

ଫୁଲ ତୁଳସୀ ଦୟଣା ମହକେ ବାସ

ଅଧା ଚାନ୍ଦ ଅଧରରେ ଉଛୁଳେ ହସ।

ଚକା ବଇଠି ରେ ମହାପ୍ରଭୁ ବସନ୍ତି

ଭକତ ଙ୍କ ଡାକ କାନ ଡେରି ଶୁଣନ୍ତି।

ଅଖଣ୍ଡ ଘିଅ ଦୀପ ହୁଅଇ ତ ଜଳା

ଦରଶନ ପାଇଁ ହୁଏ ସାହାଣ ମେଲା ।

ସୂର୍ଯ୍ୟ ମନ୍ଦିର ରେ ସୂର୍ଯ୍ୟ ପୂଜା ପରେଟି

ରୋଷହୋମ ଦ୍ଵାରପାଳ ପୂଜା ହୁଅନ୍ତି।

ବୈଷ୍ଣବାଗ୍ନି ରେ ରୋଷ ହୁଏ ଆରମ୍ଭ

ଜାତି ଜାତି ମିଠା ପିଠା ଛପନ ଭୋଗ।

ପ୍ରଥମେ ଗୋପାଳ ବଲ୍ଲଭ ଭୋଗ ହୁଏ

ଅଣସର ପିଣ୍ଡିରେ ଭୋଗ ବଢ଼ା ଯାଏ।

ନଡ଼ିଆକୋରା କଦଳୀ ପାତି ନଡ଼ିଆ

ଖଇ ଦହି କଦଳୀ ପ୍ରଭୁ ଙ୍କୁ ବଢିଆ ।

ଗୋପାଳବଲ୍ଲଭ ପରେ ସକାଳ ଧୂପ

ପ୍ରଥମ ଶଙ୍ଖୁଡ଼ି ଭୋଗ ନୈବେଦ୍ୟ ସେତ ।

ଅନବସର ପିଣ୍ଡି ଭିତର ବେଢ଼ା କୁ

ସୁଆରବଡୁ କରନ୍ତି ସଫା ତାହାକୁ ।

ବଡ ଠାକୁର ଆଉ ସୁଭଦ୍ରାଙ୍କ ନୀତି

ଜଣେ ଜଣେ ପୂଜାପଣ୍ଡା ବସି କରନ୍ତି ।

ଭୂଦେବୀ ଶ୍ରୀଦେବୀ ପ୍ରଭୁ ଶ୍ରୀଜଗନ୍ନାଥ

ସୁଦର୍ଶନ ଙ୍କ ପୂଜାରେ ଜଣେ ସେବକ।

ଧୂପ ସମୟରେ ସେତ ଦ୍ୱାରଦେଶରେ

ଲୁଗା ଟିଏ ଟଣାଯାଇ ଟେରା ପଡେରେ ।

ଟେରା ଟଣାଗଲା ପରେ ଭୋଗ ଆସଇ

ସୁଆଦିଆ ମିଠା ପିଠା ହିସାବ ନାହିଁ।

ଖେଚେଡ଼ି ଅନ୍ନ କାନ୍ତି ବୁନ୍ଦିଆ ଏଣ୍ଡୁରି

ଝିଲ୍ଲି ଅଦା ପାଚେଡ଼ି ହଂସକେଳି କ୍ଷୀରି।

ପିଠାପୁଳି ଶାଗ କାଞ୍ଜି କଦଳୀ ଭଜା

ମାଠପୁଳି  କାକତୁଆ ମିଠା କାନିକା ।

ଦିଅଁ ମାନଙ୍କ ସମ୍ମୁଖେ ରହେ ଦର୍ପଣ

ଦର୍ପଣରେ ପ୍ରଭୁଙ୍କର ମୁଖ ଦର୍ଶନ।

ଦର୍ପଣରେ ପ୍ରଭୁଙ୍କର ମୁଖକୁ ଚାହିଁ

ନୈବେଦ୍ୟ ହୁଏ ଅର୍ପଣ ପ୍ରଭୁଙ୍କୁ ଧ୍ୟାଇ।

ତାପରେ ବିଡ଼ିଆପାନ ପ୍ରଭୁ ଭୁଞ୍ଜନ୍ତି

ଧୂପ ପରେ ହୋଇଥାଏ ପୁଣି ଆଳତି।

ଆଳତି ସରିଲେ ବେଶ ଉଲାଗି ହୋଇ

ନୂଆ ବେଶ ହୋଇଥାନ୍ତି ଜଗତ ସାଇଁ ।

ମଧ୍ୟାହ୍ନେ ମଧ୍ୟାହ୍ନ ଧୂପ ଲାଗି ହୁଅଇ

ଷୋଡ଼ଶ ଉପଚାର ପୂଜା ବିଧି ସେହି ।

ପ୍ରଭୁ ଙ୍କ ପାଖରେ ଲାଗେ ଫେଣି ଶାକର

ଅନ୍ନ ବ୍ୟଞ୍ଜନ ମରିଚ ପାଣି ବେଶର

ବଡପିଠା ଆଉ ସାନ ବଡ଼ କାକରା

ପାଞ୍ଚ ପ୍ରକାର ଆରିଶା ଲଡୁ ପସରା।

ପିଠା ପୁଳି ମାଠ ପୁଳି ଝଡେଇ ଲଦା

ମନୋହର ବିରିବଡି ଟାକୁଆ ଗଜା।

ମିଠାଅନ୍ନ ମୁଗ ଡାଲି ବାସ ପଖାଳ

କ୍ଷୀରି କ୍ଷୀରିସା ଓରିଆ ପକା ଢଉଳ ।

ଭାରି ସୁଆଦିଆ ଏମିତି ଦ୍ରବ୍ୟ ମାନ

ଚତୁର୍ଦ୍ଧା ମୂରତିଙ୍କ ମଧ୍ୟାହ୍ନ ଭୋଜନ।

ମଧ୍ୟାହ୍ନ ଧୂପ ସରିଲେ ହୁଏ ଆଳତି

ଆଳତି ପରେ ହୁଅଇ ପହୁଡ଼ ନୀତି ।

ସନ୍ଧ୍ୟା ରେ ପହୁଡ଼ ଖୋଲେ ହୁଏ ଆଳତି

ରତ୍ନ ସିଂହାସନ ତଳେ ହୁଏ ଏ ନୀତି।

ତିଳଛ ମହାପାତ୍ର ଜଗନ୍ନାଥ ଙ୍କୁତ

ଆଳତି ଅରପଣ କରଥାନ୍ତି ସେତ।

ଦୁଇଜଣ ପୁଷ୍ପାଳକ ଜାଳି ଆଳତି

ବଳଭଦ୍ର ସୁଭଦ୍ରାଙ୍କୁ ଲାଗି କରନ୍ତି ।

 ମଇଲମ ହୁଅଇ ସରିଲେ ଆଳତି

ପାଟପତନି ବେଶ ପ୍ରଭୁ ଯେ ହୁଅନ୍ତି।

ରଙ୍ଗ ବେରଙ୍ଗର ଫୁଲ ମାଳ ପିନ୍ଧନ୍ତି

ଦୟଣା ତୁଳସୀ ଯେ ଗଳାରେ ଝୁଲନ୍ତି।

ଷୋଡ଼ଶ ଉପଚାରରେ ସନ୍ଧ୍ୟା ଧୂପ ଟି

ତିନି ଜଣ ପୂଜାପଣ୍ଡା ଏ ନୀତି କରନ୍ତି।

ଚୁପୁଡ଼ା ପଖାଳ, ପାଣି ପଖାଳ, କୋରା

ଅମାଲୁ ଦମାଲୁ ଭୋଗ ଲାଗଇ ପରା ।

ଜୟ ମଙ୍ଗଳ ଆଳତି ତହୁଁ ହୁଅଇ

ସାହାଣ ମେଲା ରେ ଭକ୍ତ ଭିଡ ଲାଗଇ ।

ସଞ୍ଜ ଗଡିଯାଇ ଯେବେ ରାତି ଆସଇ

ଚନ୍ଦନ ଲାଗି ବେଶ ତାପରେ ହୁଅଇ।

ଖଣ୍ଡୁଆ ଶାଢ଼ୀ ରେ ପ୍ରଭୁ ବେଶ ହୁଅନ୍ତି

ବାସ ଚନ୍ଦନ ଦେହରେ ବୋଳା ଯାଏ ଟି ।

କର୍ପୂର କସ୍ତୁରୀ କେଶର ମିଶା ଯାଇ

ମହକଇ ଚନ୍ଦନ ମହମହ ହୋଇ ।

ପୃଷ୍ଠାଳକ ସୁଆର ବଡୁ ଘଟୁଆରୀ

ହଡ଼ପ ନାୟକ ଖୁଣ୍ଟିଆ ପଢିଆରି,

ଗରାବଡୁ ପାଳିଆ ମେକାପ ସେବକ

ଚନ୍ଦନ ଲାଗି ବେଶ କରିଥାନ୍ତି ସେତ ।

ଶେଷରେ ଶୟନ ବେଶ ଚତୁର୍ଦ୍ଧା ମୂର୍ତ୍ତି

ବଡ଼ସିଂହାର ବେଶେ ପହୁଡି ଥାନ୍ତି ।

ସେ ବେଶରେ ପ୍ରଭୁ ଯେଉଁ ପାଟ ପିନ୍ଧନ୍ତି

ଗୀତଗୋବିନ୍ଦ ପାଟରେ ଲେଖା ଥାଏଟି ।

ଶଗଡ଼େ ଫୁଲରେ ହୁଏ ପ୍ରଭୁଙ୍କ ବେଶ

ଫୁଲ ମାଳ ଫୁଲ ଅଳଙ୍କାର ବିଶେଷ ।

ତାଳୁ ରୁ ତଳିପା ଯାଏ ଫୁଲ ମଣ୍ଡନ

ଦୟଣା ତୁଳସୀ ମାଳ ତହିଁ ଶୋଭନ ।

ବେଶ ସରୁସରୁ ହୋଇ ଯାଏ ନିଶାର୍ଦ୍ଧ

ଲାଗି ହୋଇଥାଏ ବଡ଼ସିଂହାର ଭୋଗ ।

ମିଠା ପଖାଳ କାଞ୍ଜି ପିଠା ସର ପୁଳି

କଦଳୀ ବଡା କ୍ଷୀରି ପଣା ମାଠ ପୁଳି ।

ଜାତି ଜାତି ପିଠା ଆଉ ମିଠା ଏମିତି

ସକାଳୁ ସଞ୍ଜ ଯାଏ ଭୋଗ ଲାଗନ୍ତି ।

ଭୋଗ ପରେ ପଲଙ୍କ ଯେ ସଜ ହୁଅନ୍ତି

ଭଣ୍ଡାର ଘରୁ ଶୟନ ଦିଅଁ ଆସନ୍ତି।

ପଇଡ ପାଣି ବିଡିଆପାନ ମଣୋହି

କରନ୍ତି ମଣିମା ପ୍ରଭୁ ଜଗତ ସାଇଁ।

କର୍ପୂର ଆଳତି ଅରପଣ ହୁଅଇ

ପହୁଡନ୍ତି ଦିଅଁ ରତ୍ନ ପଲଙ୍କେ ଯାଇ ।

ଦିନରାତି ପ୍ରଭୁଙ୍କର ସେବା ଏମିତି

ପର୍ବପର୍ବାଣୀ ରେ ହୁଏ ବିଶେଷ ନୀତି ।

ତିଥି ଅନୁସାରେ ବେଶ ଭୋଗ ଅର୍ପଣ

ଦରଶନ କରି ଭକ୍ତ ହୁଅନ୍ତି ଧନ୍ୟ।

ଭକତ ବତ୍ସଳ ଦିଅଁ କଳା ଗୋସାଇଁ

ସବୁ ନୀତି କ୍ରାନ୍ତି ତାଙ୍କ ଭକତ ପାଇଁ ।

ଠାକୁର ନୁହଁନ୍ତି ସେତ ସେତ ମଣିଷ

ପୂଜା ନୁହେଁ ଭକତିରେ ହୁଅନ୍ତି ତୋଷ ।

ଭକତ ହାତରୁ ଭୋଗ ମାଗି ଖାଆନ୍ତି

ଭକତ ସାଥିରେ ଭାବେ ନାଚ କରନ୍ତି ।

ଜରରେ ପଡନ୍ତି ପୁଣି ଭଲ ହୁଅନ୍ତି

ଭକତ ପାଖକୁ ଯାଇ ଦେଖା ଦିଅନ୍ତି।

ଭକତ କାନ୍ଦିଲେ ଲୁହ ପୋଛି ପକାନ୍ତି

ଭକତ ପାଇଁ ସେ ସ୍ବୟଂ ଲିଳା କରନ୍ତି ।

ଏମିତି କିଏସେ ହେବ ଏତେ ନିଜର

ଭକତର ଭଲମନ୍ଦେ ସଦା ନଜର ।

ପ୍ରଭୁ ହେ ତୁମ ପାଦେ ଏହି ମିନତି

ଦୁଃଖ ସହିବାକୁ ପ୍ରଭୁ ଦେବ ଶକତି ।

ଅମୃତ ଦୃଷ୍ଟିରେ ପ୍ରଭୁ ଥିବହେ ଚାହିଁ

ବାଟ ଗଲେ ଭୁଲି ଦେବ ବାଟ ବତାଇ ।


Rate this content
Log in

Similar oriya poem from Classics