ନୀରବତା
ନୀରବତା
ଭାରି ଭଲଲାଗେ ନିରୋଳାରେ ବସି
ଜହ୍ନକୁ ଦେଖିବା ପାଇଁ ,
ନିଃଶବ୍ଦ ରାତିରେ ଉଜାଗର ରହି
ନୀରବେ ରହଇ ଚାହିଁ ।
ଏତେବଡ଼ ଏଇ ଆକାଶ ଭିତରେ
ଜହ୍ନର ସେ' ନୀରବତା ,
ବିରହେ ସାଇତା ପାହାନ୍ତି ପ୍ରହରେ
ସପନର ବିଭୋରତା ।
ଅଧା ଜହ୍ନ ପରି ଜୀବନଟା ସିନା
ଅଧା ସୁଖ ଅଧା ଲୁହ ,
ଜୀବନ ଅଳିକ ସପନ ଅଳିକ
ଏ' କଥାକି ମିଛ କୁହ ?
ପକ୍ଷେ ବଢ଼ି ପୁଣି ପକ୍ଷେ ଛିଡିଥାଏ
ସବୁ ପ୍ରତିଶ୍ରୁତି ମୟ ,
ଜୀବନଟା ପରା ଠିକ୍ ସେହିପରି
ପୁରାପୁରି ବର୍ଣ୍ଣମୟ ।
ଆସିବ ତ ଆସୁ ଅମା ଅନ୍ଧକାର
ଆଗେଇବ ଅନୁରାଗେ ,
ପ୍ରିୟ ଅନ୍ତରଙ୍ଗ ଅସ୍ତିତ୍ୱେ ସଜାଡ଼ି
ଦେଖୁଥିବି ସଉଭାଗ୍ୟେ ।