ନୀରବତା
ନୀରବତା
ନୀରବତା ଏକ ପବିତ୍ର ଶବ୍ଦଟି
ଯିଏ ପୂଣ୍ୟ ଗଙ୍ଗାଝର
ସହନଶୀଳତା ଯା'ର ଅନ୍ତଃସ୍ଵର
ସିଏ ଧୈର୍ଯ୍ୟର ସ୍ଵାକ୍ଷର।
ନୀରବତା ପଛେ କ୍ଷମା ଲୁଚିଥାଏ
କ୍ରୋଧକୁ ଶାନ୍ତ କରାଏ
ନୀରବତା ପାଇଁ ସମସ୍ୟାଗୁଡ଼ିକ
ସମାଧାନ ହୋଇଯାଏ।
ଯେଉଁଠାରେ ଥାଏ ପୂଣ୍ୟ ନୀରବତା
ସେଠି ଥାଏ ଅଧିକାର
ଯେମିତି ଧରିତ୍ରୀ ନୀରବ ସର୍ବଦା
ତେଣୁ ସେ ମାଆ ଆମର।
କ୍ଷୀର ଦୁହାଁ ବେଳେ ଗାଈ ନୀରବରେ
ଯେହ୍ନେ ଠିଆ ହୋଇଥାଏ
ଅନ୍ୟର ଶୋଷକୁ ମେଣ୍ଟାଇବା ପାଇଁ
ନଈ ବହେ ନୀରବରେ।
ମାଆ ଦେହ ମଳି ପୁଅର ଅର୍ଦ୍ଦଳୀ
ସହିଯାଏ ନୀରବରେ
ନୀରବରେ ଲୁହ ଦି'ଟୋପା ଢାଳିଲେ
ପ୍ରଭୁ ପାଦ ଧୋଇପାରେ।
ଫଳଟି ଫଳାଇ ବୃକ୍ଷଟି ନୀରବେ
ପ୍ରାଣୀ ହିତେ ଦେଇଥାଏ
ନୀରବରେ ଯେହ୍ନେ ଟିକି ଚଢେଇକୁ
ନିଜ ଡାଳେ ଆଶ୍ରା ଦିଏ।
ଗୁଣୁଗୁଣୁ ପ୍ରେମ ଗୀତ ଗାଇ ସିନା
ଉଡୁଥାଏ ଭଅଁରଟି
ନୀରବ ଈଶାରା ଦେଇ ଫୁଲ ତାକୁ
ଅପଲକେ ଚାହେଁ ନିତି।
ନୀରବ ରାତ୍ରୀରେ ନୀରବ ଦିପାଳୀ
ଅନ୍ଧକାରେ ଜ୍ୟୋତି ଜାଳେ&nb
sp;
ଜହ୍ନ ଯେବେ ଉଠେ କଇଁ ଫୁଲ ଫୁଟେ
ପ୍ରେମ କରେ ନୀରବରେ।
ନୀରବରେ ବସି ବଗୁଲୀ ରାଣୀଟି
ଶୀକାର କରଇ ମୀନ
ସେଭଳି ପ୍ରେମିକ ନିଶ୍ଚେ ବୁଝିପାରେ
ପ୍ରେମିକା ନୀରବ ମନ।
ନୀରବରେ ଯୋଗ ସୂତ୍ର ସ୍ଥାପିହୁଏ
ଭକ୍ତ ଭଗବାନଠାରେ
ନୀରବରେ କବି କଳ୍ପନା ସହିତ
ଭାବନାରେ ପ୍ରେମ କରେ।
ମନ୍ଦ ବାଚାଳତା ଭଲ ନୀରବତା
ଯିଏ ଚୁପଚାପ୍ ଲୋକ
ପ୍ରକୃତ ପକ୍ଷରେ ସେହି ହିଁ ପଣ୍ଡିତ
ଭଡଭଡିଆଟା ମୂର୍ଖ।
ନୀରବତା ହେଲା ଧୈର୍ଯ୍ୟ ମାପକାଠି
ମଣିଷର ବଡପଣ
ସ୍ଵାମୀ ସ୍ତ୍ରୀଙ୍କର କଳହେ ନୀରବ
ଜଣେ ରହିଯିବା ଭଲ।
ସପ୍ତାହରେ ଏକ ଦିନ ନୀରବତା
ଅଭ୍ୟାସ କରିଲେ ଭଲ
ଦୁର୍ଘଟଣା ବେଳେ ନୀରବେ ନ ଦେଖି
ନେଲେ ଭଲ ମେଡିକାଲ।
ମିଥ୍ୟା ପ୍ରମାଣିତ ହେଉଥିଲେ ଲୋକ
ନୀରବେ ନ ଦେଖ ଭାଇ
ଅନ୍ୟର ଜୀବନ ସମ୍ମାନ ପାଇଁକି
ପଦେ ସତ କୁହ ଭାଇ।
କେଉଁ କ୍ଷେତ୍ରେ ଏଠି ନୀରବ ରହିବା
କର ବିବେକ ବିଚାର
ଅପର୍ତ୍ତି କହୁଛି ସର୍ବଦା ନୀରବ
ନୁହେଁ ଠିକ୍ ଉପଚାର।