ନଈ
ନଈ
ପ୍ରକୃତି ରାଣୀର ଦିବ୍ୟ ଅବଦାନ
ତୁହି ଲୋ ସୁନ୍ଦରୀ ନଈ
ହୋଇ ତରତର ଗାଇ କଳକଳ
କୁଆଡ଼େ ଯାଉଛୁ ବହି |
ପାହାଡ଼ି କନିଆ ଅତି ଅମାନିଆ
ଲଙ୍ଘି କେତେ ଗିରିବନ
କେଦାର ପ୍ରାନ୍ତର ବନ୍ଧୁର ଉପଳ
ଭେଦି ତଳକୁ ଧାବନ |
ତୋହରି କୂଳରେ ମାନବ ସଭ୍ୟତା
ହେଲା ଆଦ୍ୟ ବିକଶିତ
ତୋର ଜଳପଥ ବେପାର ବଣିଜ
ଯାତାୟତେ ନିୟୋଜିତ |
ବେନି ତଟ ତୋର ଶୋଭା ଗନ୍ତାଘର
ଗଢ଼ି ଉଠିଲା ବସତି
ଶ୍ୟାମ ଶସ୍ୟଦଳେ ହସିଲା ଧରଣୀ
ତୋ ଜଳ କରି ସମ୍ପତ୍ତି |
ଶିଳ୍ପର ପ୍ରସାର ହେଲା ତୋର କୂଳ
କାରଖାନା ମାଳ ମାଳ
ମାନବ କଲ୍ୟାଣେ ସଦା ନିୟୋଜିତ
ଧୀବର ଜୀବିକା ଥାଳ |
ତୋ ମଧୁର ଜଳ ଅମୃତ ଭଣ୍ଡାର
କୋଟି କୋଟି ଜୀବଙ୍କର
ସ୍ନାନ ସନ୍ତରଣ ପାନୀୟ ଗ୍ରହଣ
ଅର୍ଥେ ଲୋଡ଼ା ନିରନ୍ତର |
କାନ୍ତ କମନୀୟ ହାସ୍ୟ ଲାସ୍ୟମୟ
ଛବି ତୋର ମନୋହର
କିନ୍ତୁ ବର୍ଷାଗମେ ତୋ ଭୀମ ଭୈରବ
ରୂପଟି ପ୍ରଳୟଙ୍କର |
ଭୀଷଣ ଗର୍ଜନେ କୂଳ ଲଙ୍ଘି ଖରେ
ବନ୍ୟାରେ କରୁ ପ୍ଲାବିତ
କେତେ ଗାଁ ଗଣ୍ଡା ଭସାଇ ନେଉ ତୁ
ଉଜାଡୁ ସୁନାର କ୍ଷେତ |
ତୋ ଜଳୁ ଆହରି ବିଦ୍ୟୁତ ବଳ
ଚଳେ କାରଖାନାମାନ
ତୋ ବାଲୁକା ରାଶି ଜାତୀୟ ସମ୍ପତ୍ତି
ନିର୍ମାଣରେ ପ୍ରୟୋଜନ |
ପର ଉପକାର ପୁଣ୍ୟମୟ ବ୍ରତ
ସାଧି ଚିର ହୃଷ୍ଟମନା
ସାଗର ସଙ୍ଗତି ଲଭି ପୂର୍ଣ୍ଣ ତୃପ୍ତି
ଜୀବନ ହୋଇଛି ଧନ୍ୟା |
