ନିଦ୍ରାହୀନ ଆକାଶ ର ନିଝୁମ୍ ରାତି
ନିଦ୍ରାହୀନ ଆକାଶ ର ନିଝୁମ୍ ରାତି
ଦେଖି ତୁମ ପ୍ରୀତିର ପସରା ମନ ଯାଏ ଆନନ୍ଦେ ଭରି
କି ସୁନ୍ଦରେ ସୁନ୍ଦରତାର ପ୍ରେମ ପରସିଲା ସେ ସୁନ୍ଦରୀ ।
ଆକାଶ ତ ଏତେ ଦୂରେ ରହି କରେ ତା ପ୍ରେମ ନିବେଦନ
ସୁନ୍ଦରୀ ରାତ୍ରି ଝୁମି ଝୁମି ଲୁଚାଏ ତା ହୃଦୟ ସ୍ପନ୍ଦନ ।
ଅମାବାସ୍ୟା ପର ଦିନୁ ଆକାଶ ଜନ୍ହ କୁ ଟିକେ ଦେଖାଏ
ନିଁଝୁମ ରାତିର ଆବେଗ ଉତ୍କଣ୍ଠା ତ ବଢି ବଢି ଯାଏ ।
ସତେ କି ସେ ଆକାଶ କିଛି ଜାଣି ଶୁଣି ଖେଳ କରିଥାଏ,
କିବା ସେ ରହି ରହି ରାତ୍ରିର ସୁନ୍ଦରତାକୁ ଦେଖୁଥାଏ ।
ଆକାଶ କୁ ଦେଖି ଲାଗେ ରାତ୍ରି କି ସତେ ହୋଇଛି ପାଗେଳୀ
ନିଜକୁ ପ୍ରେମ ନିଶାରେ ଡୁବାଇ ଝୁମେ, ନ ପାରେ ସମ୍ଭାଳି ।
ନିଁଝୁମ ରାତିର ରୂପେ ହୋଇ ମତୁଆଲା, ଆକାଶ କହେ,
ହେ ସୁନ୍ଦରୀ ରାତ୍ରି ଗୋ ରୁହ, ମନ ଭରି ଦେଖିବାକୁ ଚାହେଁ।
ଲାଜେ ଲାଜେ ରାତି ତ ଲାଜେଇ କହେ ତୁମେ ତ ଦେଖା ଦିଅ
ଏବେ ଲୁଚି ଲୁଚି ନ ରହି ନିଜ ସୁନ୍ଦରତାକୁ ମେଲାଅ ।
ହସି ହସି ଧୀରେ ଧୀରେ ଆକାଶ ଜହ୍ନ କୁ ବଢାଇ ଚାଲେ,
ତା ସାଙ୍ଗରେ ମିଟି ମିଟି ତାରାଙ୍କ ସୁନ୍ଦର ମାଳ କୁ ଖୋଲେ ।
କହେ ସେ, ମୁଁ ନିଦ୍ରାହୀନ ହୋଇ ତୁମକୁ ଯେତେ ବି ଦେଖଇ,
ରାତ୍ରି ହେ, ତୁମ ସୁନ୍ଦରତା ରେ ତ ମୋର ମନ ନ ଭରଇ ।
ଧୀରେ ଧୀରେ ଜନ୍ହ ବଢେ, ନିଏ ସେ ପୁର୍ଣ୍ଣ ରୂପ ପୂର୍ଣମୀରେ,
ରାତ୍ରି ବିଭୋର ହୁଏ ଦେଖି ସୁନ୍ଦରତା ପ୍ରେମୀ ଆକାଶରେ ।
ଆକାଶ କହେ ରାତ୍ରିକୁ, ରଖିଛି ସୁନ୍ଦର ତାରକା ମାଳ,
ପିନ୍ଧାଇବ ରାତ୍ରିର ଗଳା ରେ ଦେଖି ସେ ସବୁ ବେଳ କାଳ ।
ପାଗଳୀ ରାତ୍ରି ହୁଏ ବଡ଼ ଉଲ୍ଲସିତ ଶୁଣି ଏହି କଥା,
ଭାବେ ମନେ ମନେ ସେ ଏତେ ଦିନ ପରେ ମେଣ୍ଟିବ ତ ବ୍ୟଥା ।
ସବୁଦିନେ ନିଃଶବ୍ଦେ ଚାହିଁ ରହେ ତା ସୁନ୍ଦରତା ବିଛାଇ,
କେବେ କେହି ତାକୁ ବି ଆଦରିବେ ପ୍ରେମ ର ପରସ ଦେଇ ।
ଏତେ ଦିନ ପରେ ଏବେ ତା ପ୍ରିୟ ରସିକ ନାଗର କହେ,
ତା ସୁନ୍ଦର ପୁର୍ଣ ରୂପ ଦେଖଇ ସେ ମୋ ମନକୁ ତ ମୋହେ ।
ବଡ଼ ବ୍ୟାକୁଳେ ଆକାଶ କହେ, ଏବେ ବେଳ ଯାଉଛି ବିତି,
ନ କର ଡେରି ଗୋ ନିଦ୍ରାହୀନ ଆକାଶ ର ନିଁଝୁମ ରାତି ।
ଦେଖୁ ଦେଖୁ ଯେବେ କାଳକ୍ରମେ ରବିଙ୍କର ଉଦୟ ହେବ,
ତାଙ୍କ ରୌଦ୍ର ଜ୍ୱାଳା ରେ ଅବା ଆତଙ୍କରେ ତୁମେ ଲୁଚି ଜିବ ।
ଦେଖ ଏ କାଳ ବି ଆମ ସଙ୍ଗେ ଲାଗେ ଭେଦ ଭାବ କରିଛି,
ପୂର୍ଣମୀ ପରେ ଅମାବାସ୍ୟା ରେ ମୋ ରୂପ କୁ କ୍ଷୁର୍ଣ୍ଣ କରୁଛି ।
ସୂର୍ଯ୍ୟଦୟେ ସକାଳ ହେଲେ ତୁମ ରୂପ, ତୁମେ ବି ନ ଥିବ,
ତୁମ ରୂପ କୁ ଦେଖିବାକୁ ମୋ ମନ ତ ସଦା ଝୁରି ହେବ ।
କୋହ ଭରା କଣ୍ଠେ ଏବେ ରାତ୍ରି କହେ, ହେ ମୋର ପ୍ରିୟତମ,
କଥା ଦେଲି ତୁମ ପାଇଁ ମୁଁ ଆସିବି, ଅମର ଆମ ପ୍ରେମ ।
ତୁମେ ମୋର ମୁଁ ତୁମର, ରହିବ ଦୁନିୟା ରେ ତ ଏ ରୀତି,
ମୁଁ ତ ଅଟେ ସଦା ନିଦ୍ରାହୀନ ଆକାଶର ନିଝୁମ୍ ରାତି ।

