ନିଧିଆ ବୁଢ଼ା
ନିଧିଆ ବୁଢ଼ା
ଆମ ଗାଆଁର ନିଧିଆ ବୁଢା ବଡ ଥନ୍ତଲ ପେଟା
ଦେହଟା ତାର ମଳି କୋଚଟ ବୁଦ୍ଧିଟା ତାର ମୋଟା ।
ଇସ୍କୁଲ ଘର ମାଡ଼ିନି କେବେ ପଢିନି ମୋଟେ ପାଠ
ଟିକେ କଥାରେ ବୁଦ୍ଧି ତା ବଣା ପଡଇ କଳାକାଠ ।
ଚଢି ମଟର ଗଲା କଟକ ଦେଖି ବିରାଟ କୋଠା
କୁଆଡେ ଯିବ ନପାଏ ବାଟ ହୋଇଲା ହଟହଟା ।
କାଖରେ ଜାକି ବଙ୍କୁଲୀ ବାଡ଼ି ହାତରେ ଧରି ଥଳି
କାନ୍ଧେ ପକାଇ ନାଲି ଗାମୁଛା ଚାଲଇ ଢଳି ଢଳି ।
ମଫସଲିଆ ବୁଢାକୁ ଦେଖି ଗୋଟେ ସହରୀ ଟୋକା
ରାସ୍ତା କଡ଼ିଆ ହୋଟେଲ ନେଇ ବନେଇ ଦେଲା ବୋକା ।
ଚକା ଆସନେ ବସି ନିଧିଆ ଖାଇଲା ପେଟପୁରା
ଖିରୀ, ଖେଚେଡ଼ି, ମାଛ,ମାଉଁସ, କାକରା, ଛେନାବରା ।
ବିଲ କରିଲା ହୋଟେଲ ଵାଲା ଅଢେଇଶହ ଟଙ୍କା
ଏତେ ପଇସା କୁଆଡୁ ଦେବ ମୁହଁ ତା ହେଲା ବଙ୍କା ।
ବଡ ଚତୁର କଲା ଫିକର ଭୂଇଁରେ ଗଲା ଗଡି
ଆଖିରେ ଲୁହ ମନରେ କୋହ ଯୋରରେ ରଡି ଛାଡି ।
କହିଲା ବୁଢା,'କଅଣ ଦେଲ ରାମ୍ପୁଛି ମୋର ପେଟ'
ଆହେ ମଉସା କାଢ଼ ପଇସା ନହୋଇ ଛଟପଟ ।
ଅଣ୍ଟାରେ ଡୋରୀ ହାତରେ କଡ଼ି ଲଗାଇଯିବ ଥାନା
ହାଜତ ଘରେ ରହି ମଉଜେ ଖାଇବ ବଡ଼ ଖାନା ।
ବୁଡ଼େ ଫାକାସି ମୁଣ୍ଡ ଆଉଁସି ଚାହିଁଲା ମଟମଟ
ମୁହଁକୁ ମୋଡ଼ି ଅଣ୍ଟାରୁ କାଢି ଗଣିଲା ଚଟାପଟ ।
ହସି ଉଠିଲେ ଯେତେକ ଥିଲେ ବୁଢାର ଦେଖି ଢଙ୍ଗ
ଦୁଲୁକେ ଛାତି ମୁହଁକୁ ପୋତି ଚାଲଇ ଟଙ୍ଗ ଟଙ୍ଗ ।
ଗାଡ଼ିରେ ଚଢ଼ି ଆସେ ବାହୁଡ଼ି ମନରେ ବଡ଼ ରାଗ
କଟକ ଦେଖା ନୋହିଲା ଆଉ ମରିଗଲା ସରାଗ ।