ନିଦାଘ
ନିଦାଘ
ନିଜ କକ୍ଷ ପଥେ ବର୍ତ୍ତୁଳ ପୃଥିବୀ
ପରିକ୍ରମଣର କାଳେ
ରହିଲେ ଆକର୍ଷୀ ସୂରୁଜ ଆଡକୁ
କିରଣ ସଳଖ ମିଳେ ।
ଜାଳେ ରୌଦ୍ର ଖର ପ୍ରଚଣ୍ଡ ଉତ୍ତାପ
ହୁଏ ଗ୍ରୀଷ୍ମ ଅବକାଶ
ଲାଗଇ ଗହଳୀ ସୁଶୀତଳ ସ୍ଥାନେ
ଲଭନ୍ତି ଜନେ ସନ୍ତୋଷ ।
ନଦୀ ପୁଷ୍କରିଣୀ କୂପ ଜଳାଶୟ
ଶୁଖିଯାଏ ଜଳ ଉତ୍ସ
ନିଦାଘ ତପନ ଅସହ୍ଯ ଗରମେ
ପ୍ରାଣ ହୁଏ ଛଟପଟ ।
ନଦୀ ଉପକୂଳ ତଟବର୍ତ୍ତୀ ସ୍ଥାନ
ପାହାଡ ବନ ଝରଣା
ଭାରି ମଜା ଲାଗେ ଦହି ସରବତ
ଲସି ଲେମ୍ବୁ ବେଲପଣା ।
ରହନ୍ତି ଧନିକ ଶଇଳ ନିବାସେ
କରନ୍ତି ମଜା ମଉଜ
ଗୃହରେ ତାଙ୍କର ଶୀତତାପ ଯନ୍ତ୍ର
ବାଧେ ନାହିଁ ଖରା ତେଜ ।
ଗାଆଁ ଚାଳଘର ଝାଟିମାଟି କାନ୍ଥ
ଲାଗେ ଭାରି ଶାନ୍ତିପ୍ରଦ
ହେଉ ଯେତେ ଟାଣ ମୁଣ୍ଡ ଫଟା ଖରା
କରିପାରେ ନାହିଁ ଭେଦ ।
ପଲ୍ଲୀ ଗ୍ରାମାଞ୍ଚଳ ନଦୀତଟେ ହୁଏ
ପନିପରିବାର ଚାଷ
ସେଚନ କରନ୍ତି ଜଳରେ ଜମିକୁ
ଉଠାପକା ତେଣ୍ଡାବାଂଶ ।
ନିଦାଘେ ଶୀତଳ ଲାଗେ ଆମ୍ବତୋଟା
ବଟ ଓ ଅଶ୍ବସ୍ତ ଛାୟା
ନଥିଲେ ନିଦାଘ ସଞ୍ଚରି ଆଦ୍ରତା
ବର୍ଷନ୍ତା କି ମେଘ ଟୋପା ?
