ନିଦାଘ ନିଦାଘ
ନିଦାଘ ନିଦାଘ
ବସନ୍ତ ବିଦାୟ ଅଚଳା “ଛାଡି-
ଯାଉଛି” ନିଦାଘ ଆସଇ ମାଡି;
ଝାଞ୍ଜି ପବନେ ଜୀବନ ଜଳଇ
ରକ୍ତ ସ୍ଵେଦ ହୋଇ ଝରି ପଡଇ, ଯେ
ଅସହ୍ୟ ଗ୍ରୀଷ୍ମପ୍ରବାହ,
ଅଂଶୁମାଳି କର ହୋଇଲା ପ୍ରଖର
ଖରାରେ ଧରା ଅଥୟ, ଯେ ।
ପ୍ରଜ୍ଜ୍ୱଳିତ ରବି ରଶ୍ମୀ ପ୍ରତାପ
ମୃଗତୃଷ୍ଣା ଦେଖେ ପଥରେ ପାନ୍ଥ;
ଝାଇଁମରା ଦୃଶ୍ୟ ଚିତ୍ର ଝଲକ
ଲବଣାକ୍ତ ସ୍ଵଦେ ପଡେ ପଲକ; ଯେ
ତୃଷ୍ଣା ଅଧିରେ ବାଟୋଇ,
ଆତୁରେ ବିକଳେ ତରୁ ଛାୟା ତଳେ
ଆଶ୍ରୟ ଟିକେ ଲୋଡଇ; ଯେ ।
ଅର୍କ ସ୍ପର୍ଶ ଆଗ୍ନୀ ଷ୍ଫୁଲିଙ୍ଗେ “ପଥ
ଉତପ୍ତେ” ଅଥୟ ପାନ୍ଥୋଇ ପାଦ;
ଡଗ ଡଗ ହୋଇ ବକ ସମାନ
ଖାଦ୍ୟ ଦୃଶ୍ୟାନ୍ତେ ଯେହ୍ନେ ଗମନ; ଯେ
ତେମନ୍ତ ଅଧୀରେ ଚାଲି,
ଘର୍ମ ଅପଘନ ମନ ଅବସନ୍ନ
ତପ୍ତ ଦାଣ୍ଡ ଧୂଳି ବାଲି; ଯେ ।
ଅଂଶୁ ଅଂଶୁଘାତେ ଜୀବ ଜଗତ
ବିଷାଦେ ଶ୍ରାନ୍ତ, କ୍ଳାନ୍ତ ଇତସ୍ଥତ;
ହୀନନୀର “ନଦ ନଦୀ ଉଦର
ହ୍ରଦ” କୃଶ ଦିଶେ ଶ୍ରୀହୀନ ସର;ଯେ
ଧୂଷର ଦିଶେ ଭୂଧର,
ନାରଖାର କରେ ପ୍ରକୃତି ରାଣୀ କୁ
ଗ୍ରୀଷ୍ମ ସ୍ପର୍ଶ ରବିକର;ଯେ ।
ପତ୍ରଝଡା ବୃକ୍ଷ କଂକାଳ ସମ
ଦୁର୍ଭିକ୍ଷ ପିଡିତ ଜନ ଯେସନ;
ଜୀର୍ଣ୍ଣ ଶୀର୍ଣ୍ଣ ରୂପ ଶୁଷ୍କ ପାଦପ
ବନାଗ୍ନି ଆନନ୍ଦେ କରେ ବିଦ୍ରୁପ; ଯେ
ଜଳିଯାଏ କେତେ ତରୁ,
ନିମିଷକେ ଧ୍ଵଂସେ ଆଶା ଭରସାର
ଔଷଧୀୟ ଦ୍ରୁମ ଦାରୁ;ଯେ ।
ବିହଙ୍ଗମ କୁଳ ତୃଷ୍ଣା ଆତୁର
ଉଡ଼ନ୍ତି ଅସ୍ଥିରେ କରି ଚିରାଳ;
ଖୋଜନ୍ତି ପଲ୍ଲବ ଗହଳ ଡାଳ
ଆତୁର ସନ୍ଧାନେ ଶୀତଳ ନୀର;ଯେ
ପଳାସ ଫୁଲରେ ନିଆଁ,
କୃଷ୍ଣଚୂଡା ସୁମ ନିଆଁ ରେ ଛାନିଆଁ
ଗ୍ରୀଷ୍ମକ୍ଳିଷ୍ଟ ଏ ଦୁନିଆଁ; ଯେ ।
ବିଷୁବେ ଓଡିଆ ବର୍ଷ ଆରମ୍ଭ
ଘୋର ଅହୋରୌଦ୍ରେ ବୈଶାଖୀ ପର୍ଵ;
ସ୍ନାନ ଯାତରା ଭଉଁରୀ ପରବ
ସୁଖ,ଶାନ୍ତି, ମୈତ୍ରୀ ଜାତି ବୈଭବ; ଯେ
ବଖାଣଇ ଗ୍ରୀଷ୍ମ କାଳ,
ଉତ୍କଟ ହେଲେବି ଜନ ହୀତେ ଗ୍ରୀଷ୍ମ
ଯଥା ଯେହ୍ନେ କଷା ଫଳ;ଯେ ।
ଅସହ୍ୟ ଉତାପ ନପାରି ସହି
ଗୋଳି ଚନ୍ଦନକୁ ଅଙ୍ଗେ ଲେପଇ;
ଜଳ କେଳି କରେ ଜାଗା ଚାପରେ
ଭୁଦେବୀ, ଶ୍ରୀଦେବୀ ଘେନି ସପଙ୍ଗରେ;ଯେ
ଗ୍ରୀଷ୍ମ ଉପସମ ପାଇଁ,
ଚମ୍ପା,କରବିର,ବଉଳ ଫୁଲର
ସୁବାସିତ ହାର ନାଇ;ଯେ ।
ସପୁରୀ ଖଜୁରୀ, ଆମ୍ଵ ପଣସ
ଝୁଲେ ବୃକ୍ଷେ ପାଇ ଗ୍ରୀଷ୍ମ ପରଶ;
ଫକ୍ଵ ଫଳ,ତାଳ,ଲିଚୁ,ଅଙ୍ଗୁର
ଟଭା,ତରଭୁଜ ସୁସ୍ବାଦୁ ଫଳ; ଯେ
କାଟିବାକୁ ଉଷ୍ମ ତାପ,
ମଧୁର ଅମୃତ ରସାଳ ଫଳ ରେ
ଭୁଲାଏ ଗ୍ରୀଷ୍ମ ପ୍ରତାପ; ଯେ ।
ଖିରି କୋଳି, ତୁତ,ବେତ ବଇଞ୍ଚ
ଜାମୁକୋଳି ପାଚେ ଫୁଟେ କାଇଞ୍ଚ;
କାଳ ବଇଶାଖୀ କରକା ପାତ
ଗ୍ରୀଷମ ପ୍ରବାହେ ରଚେ ଉତ୍ପାତ;ଯେ
ଅସଜଡା ଦିଏ କରି,
ବଦଳାଇ ଦିଏ ଗାଁ ର ଭୂଗୋଳ
ବୁଡାଇ ଆଶାର ତରି;ଯେ ।
ଗ୍ରୀଷ୍ତ ତାପେ ଜଳ ଶୋଷି ନିଅଇ
ବଉଦ ମାଳେ ଶୂନ୍ୟରେ ଭାସଇ;
ଗ୍ରୀଷ୍ମ ଶେଷେ ଯେବେ ପ୍ରାବୃଟ ଆସେ
ଜଳହୋଇ ଅବନୀ ରେ ବରଷେ;ଯେ
ଋତୁଚକ୍ର ଚକ୍ରାକାରେ,
ଉପରୁ ତଳକୁ ତଳୁ ଉପରକୁ
ହୋଇ ଆନନ୍ଦେ ବିହରେ;ଯେ ।
ଅଗ୍ନି ସମାନ ବିଷମ ଗ୍ରୀଷମ
ନିର୍ଦ୍ଦୟ,ନିର୍ବାକ,ନିର୍ମମ ସମ;
ପାଳନ କରଇ ତାହାର ଧର୍ମ
ଏହିପରା ବିଧି ବିଧି-ବିଧାନ; ଯେ
ପ୍ରଫୁଲ୍ଲ ମଲ୍ଲୀକା ସୁମ,
ସଉରଭେ ଖରା ଗରବ କୁ ଗଞ୍ଜି
ରଚିଲା କବିତା ରମ୍ୟ;ଯେ ।