STORYMIRROR

Sachidananda Kar

Children

3  

Sachidananda Kar

Children

ନିଅ ବନ୍ଧୁ ବେଗେ ନିଜର କରି

ନିଅ ବନ୍ଧୁ ବେଗେ ନିଜର କରି

1 min
209


        ନୁହେଁ କିବା ମୁହିଁ ଶ୍ରୀମନ୍ଦିରଟିଏ

             ମୋ ଭିତରେ କିବା ନାହାନ୍ତି ଦିଅଁ

        ଦୁଆରକୁ କେବେ ଆସୁନାହଁ କିଆଁ

             ଦେଖିଦେଲେ ମୁହଁ ବୁଲେଇ ନିଅ  ।।


        ନୁହେଁ କିବା ମୁହିଁ ସକାଳ ସୂରୁଯ

            ମୋ ଠାରେ କି ସତେ ଆଲୋକ ନାହିଁ

        ନିଦ ଭାଙ୍ଗି ଦେଇ ମୋ ପାଖକୁ କେହି

            ସରାଗରେ କିଆଁ ଆସୁନ ଧାଇଁ  ।।


        ନୁହେଁ କିବା ମୁହିଁ କୁନି ଚଢେଇଟେ

             ମୋର କିବା ହଳେ ନାହିଁରେ ପର

        ଆକାଶଟେ ମୋତେ ଦେଉନାହଁ କିଆଁ

             ଖୋଜୁଛ ମୋ ପାଇଁ ପିଞ୍ଜରା ଘର  ।।


        ନୁହେଁ କିବା ମୁହିଁ ବଗିଚାର କଳି

             ପାଖୁଡ଼ାରେ କିବା ସୁରଭି ନାହିଁ

        ଆଦର ମୋ ପାଇଁ ରଖୁନାହଁ କିଆଁ

             ଅଳି ହେଉନାହଁ ମୋହରି ପାଇଁ  ।।


        ନୁହେଁ କିବା ମୁହିଁ ବାଟ ତରୁଟିଏ

            ଫଳ, ଛାଇ ମୁଁ କି ଦେଉନି ଆଣି

        ପିତା, ମାତା କିଆଁ ହେଉନ ମୋହର

            ଦେଉଅଛ ମୋତେ ମୂଳରୁ ହାଣି  ।।


        ନୁହେଁ କିବା ମୁହିଁ ଆକାଶର ଚାନ୍ଦ

            ନାହିଁ କିବା ମୋର ସୁନ୍ଦର ପଣ

        ଦେଖିବାକୁ ଆଖି ସଜାଉନ କିଆଁ

            ଅଛ ଏଠି ତୁମେ ଯେତିକି ଜଣ  ।।


        ନୁହେଁ କିବା ମୁହିଁ ଶ୍ରାବଣର ମେଘ

             ଜଳ ବୁନ୍ଦା କିବା ମୁଁ ଧରିନାହିଁ

        ଚାତକଟେ କିଆଁ ହେଉନାହଁ ତୁମେ

             ଶୋଷ ମାରିବାକୁ ଆସୁନ ଧାଇଁ  ।।


        ନୁହେଁ କିବା ମୁହିଁ ମାଟିର ଜୀବଟେ

              ନାହିଁ କିବା ମୋର ବଞ୍ଚିବା ଆଶା

        ମଣିଷ ମୋ ପାଇଁ ହେଉନାହଁ କିଆଁ

             ବୁଝିବାକୁ ମୋର ମନର ଭାଷା  ।।


        ଜୀଇଛି ଜୀଉଛି ଜୀଉଥିବି ମୁହିଁ

             ଯେତେ ସବୁ ଆଶା ମନରେ ଧରି

       ଭଲପାଉଛି ମୁଁ ଭଲ ପାଉଥିବି

             ନିଅ ବନ୍ଧୁ ବେଗେ ନିଜର କରି  ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children