ଆକାଶ
ଆକାଶ
ବିଶ୍ୱ ବ୍ରହ୍ମାଣ୍ଡର ସର୍ଜନାକାରୀଙ୍କୁ
ଶତ କୋଟି ପ୍ରଣିପାତ
ଅନନ୍ତ ଆକାଶେ ଚନ୍ଦ୍ର ସୂର୍ଯ୍ୟ ତାରା
କେତେ ହେଲେ ବିକଶିତ ।
ଅନ୍ଧକାର ନାଶି ଆକାଶେ ଉଇଁଲେ
ଦୟା କରି ଦିବାକର
ରାତ୍ରୀ ଆଲୋକର କାରକ ସାଜିଲେ
ଚନ୍ଦ୍ରମା ଯେ ନିରନ୍ତର ।
ଅଗଣିତ ତାରା ଜ୍ୟୋତିଷ୍କ ମଣ୍ଡଳୀ
ଗଗନେ ଉଠିଲେ ଫୁଟି
ସାତ ରଙ୍ଗ ବୋଳା ଇନ୍ଦ୍ରଧନୁ ଆସେ
ବଉଦ ଫାଙ୍କରୁ ଉଠି ।
ବିହାୟସ କୋଳେ ଅତି ପୁଣ୍ୟ ବଳେ
ସ୍ଥାନ ନେଲେ ଶୁକ୍ର ଧ୍ରୁବ
ନୀଳ ଗଗନର ପ୍ରତିଛବି ପଡ଼ି
ଅମ୍ବୁ ରେ ନୀଳିମା ଭାବ ।
ଆକାଶ ଛାତିରୁ ଧାରା ଶ୍ରାବଣରେ
ଜୀବନ ପଡଇ ଝରି
ସକଳ ଶାନ୍ତି ଯେ ଆକାଶେ ଜଡ଼ିତ
ଧନ୍ୟ ତୁମେ ସୃଷ୍ଟିକାରୀ ।
ନଭ ରାଇଜରୁ ଧରାପୃଷ୍ଠ ପାଇଁ
ବନ୍ଧୁତାର ଆକର୍ଷଣ
ପ୍ରୀତି ସରାଗରେ କିଣି ନେଉ ଥାଏ
ଇନ୍ଦୁ ରାଜୀବର ମନ ।
ଦୂର ଦିଗବଳୟଟି ଆକାଶରେ ମିଶି
ଦିଶେ ମନ ମୁଗ୍ଧକର
କବି ପ୍ରାଣ ଜିଣି ଭରି ଦେଉ ଥାଏ
ଲେଖାରେ ଉପମା ଗାର ।