ନେଉଛି ଦୃଢ ଶପଥ
ନେଉଛି ଦୃଢ ଶପଥ
ସବୁଠୁ ସୁନ୍ଦର ମୋ ଦେଶ ଭାରତ
ପ୍ରିୟତମ ମୋର ପ୍ରାଣ
ଜୀବନେ ମୋ ଲକ୍ଷ୍ଯ ତାହାର ପ୍ରଗତି
ଉତ୍କର୍ଷତା ସର୍ବାଙ୍ଗୀନ ।
ତାର ନଦନଦୀ ପାହାଡି ଝରଣା
ଜଳାଶୟ ସରୋବର
ମଧୁର ଜଳରେ ଅଟେ ଭରପୂର
ଜୀବନ ଶକ୍ତି ଆଧାର ।
ତା ଗିରି କାନନ ବନ ପରବତେ
ପରିପୂର୍ଣ୍ଣ ସବୁଜିମା
ଛୁଟେ ନନ୍ଦନର ଚନ୍ଦନ ସୁଗନ୍ଧ
ମହକଇ ମାଧୁରିମା ।
ଉର୍ବର ତା ବକ୍ଷେ ଉପୁଜଇ ଶସ୍ଯ
ନାନା ଜାତି ଫଳମୂଳ
ଉନ୍ମେଷେ ଜୀବନ ସମୁଜ୍ଜ୍ୱଳେ ରଙ୍ଗ
ଫୁଟେ ଶାନ୍ତି ଶତଦଳ ।
ତା ନୃତ୍ଯ ସଙ୍ଗୀତ ସୁର ଛନ୍ଦମୟ
ତୋଳେ ମଧୁର ମୂର୍ଚ୍ଛନା
ଭରିଛି ମୋ ଦେଶେ ପ୍ରାଚୁର୍ଯ୍ୟ ଐଶ୍ଵର୍ଯ୍ୟ
ଐତିହ୍ଯଶ୍ରୀ ଅନୁପମା ।
ମାତୃଭୂମି ମୋର ଅତୁଲ୍ଯା ଅନନ୍ଯା
ମହାନ ଦେଶ ଭାରତ
ଢାଳି ମନ ପ୍ରାଣ କରିବି ତା ସେବା
ନେଉଛି ଦୃଢ ଶପଥ ।
