STORYMIRROR

LALIT MOHAN DASH

Abstract Romance Inspirational

4  

LALIT MOHAN DASH

Abstract Romance Inspirational

ନେତାଜୀ ସୁବାଷ

ନେତାଜୀ ସୁବାଷ

1 min
213


    

ସେ ଦିନେ ଶୁଭିଥିଲା

ଭାରତ ବର୍ଷରେ ଏକ ଡାକ,

ମତେ ରକ୍ତ ଦିଅ

ମୁଁ ତୁମକୁ ସ୍ୱାଧୀନତା ଦେବି।

ସେ ଡାକ ଏବେ ବି ଶୁଭୁଛି

ଜର୍ମାନୀ ଜାପାନ ଆଉ ଭାରତ ବର୍ଷର

ମାଟି ପାଣି ପବନରେ।

ସେ ଦିନେ ପ୍ରକମ୍ପିତ ହେଉଥିଲେ

ଦେଶର କୋଣ ଅନୁକୋଣରେ ଥିବା

ପ୍ରତି ଭାରତୀୟ

ତାଙ୍କ ରକ୍ତବିନ୍ଦୁରେ ସୃଷ୍ଟି ହେଉଥିଲା

ଶୀତ ସିଂହର ବଳ।

ଆଗ୍ନେୟଗିରିର ଲାର୍ଭା ପରି

ନିର୍ଗତ ହେଉଥିଲା ପ୍ରତିଶୋଧର ନିଆଁ।

ହେ ସୁବାଷ..

ତୁମର ଗୋଟିଏ ଡାକରେ

ଡ଼େଇଁ ପଡୁଥିଲେ କୋଟି କୋଟି ଜନତା

ଝାସ ଦେଉଥିଲେ ବିଦ୍ରୋହର ବହ୍ନିରେ 

ଇଂରେଜକୁ କରିବା ପାଇଁ ପ୍ରତିହତ।

ହେଲେ ହେ ସୁବାଷ....

ଆଜି ପ୍ରଶ୍ନ ଉଠେ

ସ୍ୱାଧୀନତା ପହଞ୍ଚିଛି କି ପ୍ରତି ମଣିଷ ପାଖରେ???

ପ୍ରତିଟି ଚିନ୍ତା ଚେତନାରେ

ପହଞ୍ଚିଛି କି ?

ଗରିବ ଖଟିଖିଆ ମୁଜୁରିଆ ପାଖରେ?

ନାରୀର ନ୍ୟାର୍ଯ୍ୟ ଅଧିକାର ପାଖରେ?

ତଳ ପାହାଚରେ ରହୁଥିବା ମଣିଷ ପାଖରେ?

ଖଣିଖାଦାନରେ କାମ କରୁଥିବା

ଶ୍ରମିକ ପାଖରେ?

ତୁମେ ଦେଖ ସୁବାଷ..

ଆମେ ତ ଆଜି ବି ପରାଧୀନ

ପରାଧୀନ ଶୃଙ୍ଖଳରେ ବନ୍ଦୀ

ପରାଧୀନତାର ପୁଞ୍ଜିବାଦୀ ସାମ୍ରାଜ୍ୟ ଭିତରେ,

ସେ ଦିନ ତୁମେ ଦେଇଥିଲ

ବିନ୍ଦୁଏ ରକ୍ତରେ ସିନ୍ଧୁଏ ସ୍ୱାଧୀନତା

ହେଲେ ଆଜି....

ତୁମକୁ କିଏ ବା କାହିଁକି

ରକ୍ତ ଦେବ....

ରକ୍ତ ତ ସବୁ ନିଗିଡି ପଡୁଛି

ହିଂସା, ଇର୍ଷା, ଧର୍ମ ଆଉ ଜାତିର ଭେଦରେ

ରକ୍ତ ସବୁ ବୋଳି ହୋଇଯାଉଛି

ଛୁରୀ ଆଉ ବର୍ଚ୍ଚାରେ..

ସାଇତା ହେଉଛି କାପୁରୁଷ ଭୀରୁର ଦେହରେ 

ଆଜିର ରକ୍ତରେ ନାହିଁ ଏକତା କି

ନାହିଁ ଶତସିଂହର ବଳ..

କେବଳ ସାଜିଛି ମଣିଷ ଖେଳୁଥିବା

ହୋଲିର ରଙ୍ଗ....

ହଜିଯାଇଛି ଆଜି ମାନବିକତା

ଭୁଲିଯାଇଛି ଭାଇଚାରାର ସମ୍ପର୍କ

ତେବେ ହେ ସୁବାଷ..

ତୁମେ କୁହ....

କେମିତି ଭାଙ୍ଗିବ ପୁଞ୍ଜିବାଦୀର ସାମ୍ରାଜ୍ୟ

କେମିତି ଦେବ ଶୋଷଣ କୋଷଣରୁ ମୁକ୍ତି

କେମିତି ଦେବ ସ୍ୱାଧୀନ

ହେ ସୁବାଷ....

କେଉଁଠି ଲୁଚିଛ ଛଦ୍ମବେଶରେ

ନା ଶୋଇଛ ଚିରନିଦ୍ରାରେ

ଡାକୁଛି ମାତୃଭୂମି ଆଜି

ଉଠ ଜାଗ୍ରତ ହୁଅ

ହେ ସୁବାଷ।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract