STORYMIRROR

Sachidananda Kar

Abstract Children

3  

Sachidananda Kar

Abstract Children

ନଦୀ ଅଟେ ତା'ର ନାଆଁ

ନଦୀ ଅଟେ ତା'ର ନାଆଁ

1 min
173


       କେବେ ସେ ପୂରିଲା କେବେ ସେ ଶୁଖିଲା

              ତା' ଇଚ୍ଛାରେ ଧାଏଁ ସିଏ

       ତା' ପାଖରେ ଆସି ବସିଛି ଘଡ଼ିଏ

              ତା' ଛବି ଦେଖିଛି ଯିଏ ।। 


       ଅଙ୍କାବଙ୍କା ହୋଇ ଯାଏ ସିଏ ବହି

              ସେଥିରେ ଥାଏ ତା' ସୁଖ

       ଆସେ ଯେବେ ବାଧା ଯାଏ ବାଟଭାଙ୍ଗି

              ନ ଥାଏ ତା' ମନେ ଦୁଃଖ ।। 


       ଘୋର ବରଷାରେ ପାଣି ତା' ଗୋଳିଆ

              ଶରତରେ କାଚ ପରି

       ଗୀରିଷମେ ସିଏ ଯାଉଥାଏ ବହି

              ସରୁ ଜଳଧାର ଧରି ।। 


       ତା' କୂଳରେ ଥାଇ ନାନା ଜାତି ଗଛ

              ବଢ଼ାନ୍ତି ତାହାର ଶୋଭା

       ତା' ସୁଅରେ ନାଆ ଯାଉଥିଲେ ଭାସି

              ଦିଶେ ଭାରି ମନଲୋଭା ।। 


       ଜମିକୁ ଯୋଗାଏ ପଟୁମାଟି ସିଏ

              ଚାଷକୁ ଯୋଗାଏ ପାଣି

       ସୁନାର ଫସଲେ ହସେ ଚାଷଜମି

              ବଦଳେ କ୍ଷେତର ଠାଣି ।। 


       ଫଗୁଣେ ଚଇତେ ବସିଲେ ତା' ପାଶେ

              ଭୁଲି ହୋଇଯାଏ ଦୁଃଖ

       ହୁଏ ନାହିଁ ମନ ଆସିବାକୁ ଛାଡ଼ି

              ଧୀର ପବନର ସୁଖ ।। 


       ଶୋଷିଲା ଜୀବର ଆଶାଟିଏ ସିଏ

              ଜଳଜୀବଙ୍କର ଘର

       ଦିନ ଯାଏ ତା'ର ଜଗତ ସେବାରେ

              ନାହିଁ ତା' ଆପଣାପର ।। 


       ପାଳେ ସେ ଆମକୁ ପୁଅ ଝିଅ ପରି

              ସେ ଗୋଟେ ଆମର ମାଆ

       କରିବା ଯତନ ଭୁଲିବାନି ତାକୁ

              ନଦୀ ଅଟେ ତା'ର ନାଆଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract