ନବ ବରଷ
ନବ ବରଷ
ନବ ବରଷ, କାହାମନେ ଦିଏ ଅତି ହରଷ,
ଆଉ କାହାମନେ ଦୁଃଖ,
ଅତୀତ ସହିତ ଦୁଃଖ ଚାଲିଯାଉ,
ସମସ୍ତେ ପାଆନ୍ତୁ ସୁଖ ।
ସ୍ୱାଗତମ କର ଠାକୁର ପାଖରେ,
ହୃଦୟର ଦୀପ ଜାଳି,
କ୍ଷଣିକ ଆନନ୍ଦ ପାଇଁ ଆନଜୀଵ,
ଅଚିରେ ନଦିଅ ବଳି ।
ଅଲଗା କରନି ପାଦପରୁ ପୁଷ୍ପ,
ଶୋଭିତ ହେଉ ତା ଡାଳେ,
ପୁଷ୍ପମୟ ହେବ ଜୀବନ ସଭିଙ୍କ,
ମନର ପୁଲକ ଧାରେ ।
କାଲିଥିଲା ଯିଏ ନବରୂପଧାରୀ,
ଆଜି ସେ ତ ପୁରାତନ,
ଆଜି ଯେ ନବୀନ ଭବିଷ୍ୟତେ ପୁଣି,
ସାଜିବ ସତ୍ୱା ବିହୀନ ।
ସମୟ ସ୍ରୋତରେ ଜୀବନ ନଈ ବି,
ଏମିତି ହିଁ ଯାଏ ବହି,
ନବ ଶିଶୁ ପାଇଁ ଯେତିକି ଆନନ୍ଦ,
ବୃଦ୍ଧା ବୟସରେ ନାହିଁ ।
ନୂତନ ପୋଷାକ, ପାଇଣ ଆନନ୍ଦେ,
ପୁରାତନ ଦିଅ ଫିଙ୍ଗି,
ପୁରାତନ ଗୁଣ ଗାରିମାକୁ ଭୁଲି,
ଦିଅନି ହୃଦୟ ଭାଙ୍ଗି ।
ନବ ବରଷଟି ସବୁଜୀବ ପାଇଁ,
ସୁଖଦ,ସ୍ୱଚ୍ଛନ୍ଦ ହେଉ,
କ୍ଷୁଧାର୍ତ୍ତକୁ ଖାଦ୍ୟ, ନିବସ୍ତ୍ରକୁ ବସ୍ତ୍ର,
ଦାନେ ମନ ଧ୍ୟାନ ରହୁ ।
ଧରଣୀ ପେନୁର, ସଂସାର ଉଦ୍ୟାନେ,
ଆମେ ସବୁ ପୁଷ୍ପଲତା,
ରଙ୍ଗ ଆଉ ବାସ ଭିନ୍ନରେ 'ସୌନ୍ଦର୍ଯ୍ୟ'
ବଢାଏ ଆମ ଏକତା ।
ପୁଷ୍ପ ଗୁଚ୍ଛ ମଧ୍ୟେ ମଉଳାଫୁଲଟେ,
ଆନନ୍ଦ କରଇ ନାଶ,
ଜନସମାଗାମେ ଦୁଃଖୀ ଜନ ଥାଇ,
କେମିତି ହୁଅ ହରଷ ?
ଖୁସି ବିତରଣେ ସୁଖୀ ହେଉ ଧରା,
ପୁଲକିତ ସର୍ବ ଜନ,
ନବ ବରଷଟି ଆନନ୍ଦରେ ବିତୁ,
କରି ସଦା ଭଲ କର୍ମ ।
ବାରୁଦ ଜଳାଇ ବାୟୁମଣ୍ଡଳକୁ
କରନି ଦୂଷିତ ଆଉ,
ଦୂଷିତ ହୋଇଲେ ପରିବେଶ ଆମ,
ପ୍ରକୃତି ସାଧିବ ଦାଉ ।
ନବ ବରଷକୁ ସ୍ବାଗତମ୍ କର,
ବାଣ୍ଟିଣ ସେନେହ ପ୍ରେମ,
ଖୁସିରେ ରହିଲେ ଜାତି ଭାଇ ଆମ,
ସନ୍ତୋଷ ହେବ ଜୀବନ ।
ନବ ବରଷରେ ନବ ତରୁଟିଏ,
ଆସରେ ଦେବା ଲଗାଇ, ପ୍ରକୃତି ପାଇଁ ଏ ଉପହାର ହେବ,
ଜୀବଦାନ ଜୀବ ପାଇଁ ।
ଆମ ପରିବେଶ ସଫାରଖି ଆମେ,
କରିଲେ ଆମ ସୁରକ୍ଷା, ନବ ବରଷଟି ଖୁସିମୟ ହେବ,
ସମସ୍ତେ ପାଇଲେ ଶିକ୍ଷା ।
ଜଗତର ନାଥ କାଳିଆ ସାଆନ୍ତ,
ସଭିଙ୍କୁ ସହାୟ ହୁଅ,
ସବୁ ବରଷ ସଭିଙ୍କର ପାଇଁ,
ସାଜୁ ସଦା ନବମୟ ।