ନାରୀର ଅନ୍ତଃସ୍ବର
ନାରୀର ଅନ୍ତଃସ୍ବର
ନାରୀ ମହନୀୟତାର ମହକରେ ଭରା
ମମତାର ପ୍ରବାହିତା ସ୍ରୋତସ୍ଵିନୀ
ଗଙ୍ଗା ଯମୁନା ସରସ୍ଵତୀର ସେ ତ୍ରିଧାରା
ତାର ଅନାବିଳ ସେବା ଯତ୍ନ ତ୍ୟାଗରେ
ସୁଧାମୟ ହୁଏ ସମଗ୍ର ବସୁଧା
ସେ ସ୍ଵୟଂସଂପୂର୍ଣ୍ଣା ପୂର୍ଣ୍ଣ କରେ ଅଧୁରା
ମାଆ ରୂପରେ ସେ ଦିଏ ବଳିଦାନ
କଲ୍ୟାଣେ ହୋଇ ସର୍ବଂସହା
ଭଗ୍ନୀ ଭାବରେ ମଙ୍ଗଳ କାମନା କରି
ଶୁଭ ମନାସେ ମନ ପ୍ରାଣ ହୃଦୟରୁ
ହୋଇ ଧର୍ମପତ୍ନୀଟିଏ ତା' ପତି ଦେବତାକୁ
ଉଦ୍ଧାର କରେ ପାପପଙ୍କର ପତନରୁ
ସେ ସ୍ନେହମୟୀ ପ୍ରେମମୟୀ ମମତାମୟୀ
କରୁଣାମୟୀ ଆଦିଶକ୍ତି ସ୍ୱରୂପା
ସଂସାର ସୃଷ୍ଟିର ଆଧାର ଆଦ୍ୟ ବୀଜମନ୍ତ୍ର
ସନ୍ତାନର ସାହାରା ପରିବାରର ଇଷ୍ଟଦେବୀ
ଲାଳନେ ପାଳନେ ଜୀବନଦାତ୍ରୀ
ଅତୁଳନୀୟା ଅନନ୍ୟା ତାର ସ୍ଵଭାବ ଚରିତ୍ର
ସାରା ଜଗତର ଅରିକୁ ତା' ଶକ୍ତିରେ ମାରି
ନାରୀ ହୁଏ ଜଗଦମ୍ଵା ଦୁର୍ଗତନାଶିନୀ
ସେ ଯୁଗେ ଯୁଗେ ମହୀୟସୀ ଗରୀୟସୀ
ସେ ଚିର ବନ୍ଦନୀୟା ପୂଜ୍ୟନୀୟା
ତାର ମାନ ସମ୍ମାନ ମର୍ଯ୍ୟାଦା ରଖିବାରେ
ନ ରଖି ଧ୍ୟାନ କରେ ଯିଏ ଉଲଙ୍ଘନ
ହୁଏ ଅପରାଧୀ ପାଏନା ନିସ୍ତାର ହୁଏନା ମୁକ୍ତ
ଧ୍ଵଂସର ପଥେ ଗମି ଯାଏ ତା' ଜୀବନ
ନାରୀର ଅନ୍ତର୍ଦାହ ହିଁ ତା'ର ଅନ୍ତଃସ୍ବର
ଯେବେ ଯେବେ କରି ଉଠେ ହାହାକାର
ତା' ଆଖିରୁ ଝରେ ଅଭିଶାପର ଲୁହଧାର
ସେ ବନ୍ୟାରେ ବୁଡ଼େ ରାବଣର ସ୍ଵର୍ଣ୍ଣଲଙ୍କାପୁର
ଧ୍ଵଂସସ୍ତୁପ ପାଲଟେ ଦୁର୍ଯ୍ୟୋଧନର ହସ୍ତିନାପୁର
ସେ ରଖେ ନାହିଁ କାହାରି ଗର୍ବ ଅହଙ୍କାର
ନାରୀ ହୃଦୟରୁ ବହିଲେ ଅମିୟଧାର
ସୃଷ୍ଟିର ରହେ ସ୍ଥିତି ମିଳେ ସୁଖ ଶାନ୍ତି ତୃପ୍ତି
ତା' ଅନ୍ତଃସ୍ବର ବେଦନାରେ ହେଲେ ଜର୍ଜ୍ଜରିତ
ଜୀବନର ଅଧୋଗତିରେ ଆସେ ପରିସମାପ୍ତି
ନୀବରତାର ପ୍ରତିବାଦ ହେଲେ ବି ଅଦୃଶ୍ୟ
ନୀରବତାରେ ସବୁ କରିଦିଏ ଧ୍ବଂସ
ଜଗତଜନଙ୍କ ଚେତନାରେ ଆସୁ ସୁଧାର
ହସି ଉଠୁ ପ୍ରତିଟି ସୁନାର ସଂସାର
ନାରୀ ହୋଇ ରହୁ ସଦା ମମତାମୟୀ ମାଆ
ସବୁରି ମଙ୍ଗଳେ ହେବାକୁ ସାହା।