STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ବନ୍ଧନ

ବନ୍ଧନ

1 min
371


ଭବ ବନ୍ଧନୀ ମଧ୍ୟରେ ବନ୍ଧା

   ଏହି ଜୀବନ ଭାଇ,

ମୁକୁଳିବାକୁ ଚାହିଁଲେ ମଧ୍ୟ

   ମୁକୁଳି‌ ହୁଏ ନାହିଁ।

ହରଣ, ଯୋଗ, ଗୁଣ, ବିୟୋଗ

   ଏତ ଜୀବନ ଅଙ୍କ,

ବୁଢିଆଣୀର ଜାଲ ବନ୍ଧନେ

   ମିଳେନା‌ ସୂତ୍ର ମୁଖ। 

ମାୟା ମୋହର ଶିକୁଳି ପିନ୍ଧି

   ଜୀବନ ଛଟପଟ,

କାମନା ଲୋଭେ ପଡ଼ି ମଣିଷ

   ହେଉଛି ହନ୍ତସନ୍ତ ‌।

ସ୍ନେହ ମମତା ସମ୍ପର୍କ ଅଠା

    ଲାଗିଲେ‌ ଛାଡୁନାହିଁ,

ଏହାର ନାମ ମାୟା ବନ୍ଧନ

    ଜାଣୁଛି‌ ଆଜି ମୁହିଁ‌।

ପ୍ରେମ ବନ୍ଧନ ଯେ ଆକର୍ଷଣ

    ପ୍ରୀତି ରଜ୍ଜୁରେ ବନ୍ଧା,

ସ୍ନେହ ବନ୍ଧନ ମମତା ଡୋର

    ମାଆ ପଣତେ‌ ଛନ୍ଦା‌।

ମୋ ସାଙ୍ଗ ସାଥୀ ପିଲାବେଳଟି

   ପଡୁଛି ଯେବେ ମନେ,

ସେହି ବନ୍ଧନ କୃଷ୍ଣ ସୁଦାମ

   ଭାବ ଥିଲାଟି‌ ଯେହ୍ନେ।

ବିବାହ ଏକ ପୁଣ୍ୟ ବନ୍ଧନ 

   ସଂସାର ସୁଖ ଡୋରୀ,

ସ୍ନେହ ବନ୍ଧନ ପୁତ୍ର ସନ୍ତାନ

    ମିଠା ଜହର‌ ପରି‌।

ଭବ ସାଗର ଏହି ସଂସାର

    ମଣିଷ ମୀନ ପ୍ରାୟ,

ମାୟା ଜାଲର ବନ୍ଧନେ ପଡ଼େ

    ମଣିଷ ଅହରହ। 

ସମଗ୍ର ବିଶ୍ଵ ମାୟା ଆବଦ୍ଧ

    ବନ୍ଧନ ଏକ ସୂତ୍ରେ‌,

ଦୈବ ଦ‌ଉଡି‌ ମଣିଷ ଗାଈ

    ଏହି ସଂସାର ହାଟେ

ସଂସାର ଗୋଟିଏ କାରାଗାର

    ଭାଗ୍ୟ ପୁଲିସି ବାବୁ,

ଧର୍ମ ବନ୍ଧନ ଶିକୁଳି ଧରି

    ସର୍ବେ‌ କରୁଛି କାବୁ।

ମଦିରା ନିଶା ବନ୍ଧନେ ଯେହ୍ନେ

    ମଦ୍ଯପ ପଡ଼ି ମରେ,

ମଧୁ ଚୁମ୍ଵନେ ପଦ୍ମ ବନ୍ଧନେ

    ଭ୍ରମର ପ୍ରାଣ ହାରେ।

ବନ୍ଧୁ ଭାବରୁ‌ ବନ୍ଧନ‌ ସୃଷ୍ଟି

    ପ୍ରେମରୁ ହୁଏ ପ୍ରୀତି,

ନାନା ବନ୍ଧନ‌ ନାନା ସମୟେ

    ଫଳ ଦିଅଇ‌ ବାଣ୍ଟି‌।

ଭାବ ବନ୍ଧନ ତେଣୁ ମହାନ

    ଭକତ‌ ଭଗବାନ,

ଭବ ବନ୍ଧନ ହେବ‌ ମୋଚନ‌

    ପ୍ରଭୁଙ୍କୁ ଚିନ୍ତ ମନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy