STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ଆସିଛନ୍ତି ବିଶ୍ଵକର୍ମା

ଆସିଛନ୍ତି ବିଶ୍ଵକର୍ମା

1 min
255


ଗଜ ବାହନେ ଶ୍ରୀବିଶ୍ଵକର୍ମା

   ଆସିଲେ ମର୍ତ୍ତ୍ୟପୁରେ,

ସମୁଦ୍ର କୂଳେ ପାରାଦୀପରେ

    ପ୍ରଭୁ ପହଞ୍ଚିଗଲେ।


ଦେଖିଲେ ଭାରି ଜାକଜମକ

    ଭବ୍ୟ ତୋରଣ ମାନ,

ଆଲୋକ ସଜ୍ଜା ପୂଜାର ମଜା

   କିଣି ନେଉଛି ମନ।


ଦୋକାନ ମାନ ମାଳକୁ‌ ମାଳ

    ଜନ ସମୁଦ୍ର ସୁଅ,

ପୂଜା ମଣ୍ଡପେ ସୁସ୍ଵାଦୁ‌ ଭୋଗ

    ପେଟ ଭରିକି‌ ଖାଅ। 


ମେଲୋଡି ରେକର୍ଡାନ୍‌ସ ଡିଜେ‌

    ସାଉଣ୍ଡ କମ୍ଫୁଅଛି,

ମେଲଣ ପାଇଁ ସଭିଙ୍କ ମନ

    ଉଚ୍ଛନ୍ନ ହେଉଅଛି।   


ଦେଖନ୍ତି ବାହ୍ଯ ଯେ ଆଡମ୍ବର 

    ତାମସ ପୂଜା ପର୍ବ,

ଗଜକୁ ପ୍ରଭୁ କହନ୍ତି ବାବୁ

    କରୁ କି ଅନୁଭବ ।


ଗଜ ବିନୟେ କହୁଛି ପ୍ରଭୁ 

    ସ୍ବାର୍ଥ ରାକ୍ଷସ ଆସି, 

ମଣିଷ ମନୁ ନେଇଯାଉଛି‌

   ଭକତି‌ ଭାବ ଶୋଷି‌।


ସ୍ନେହ ଶରଧା‌ ତୁଟାଇ ଦେଲା

   ଇର୍ଷାକୁ ବଢେଇଲା‌,

ସନ୍ଥଙ୍କୁ ଦେଲା ଅନେକ କଷ୍ଟ

   ଦୁର୍ନୀତି ବିସ୍ତାରିଲା‌।


ପବିତ୍ର ସୃଷ୍ଟି ନଷ୍ଟ କରୁଛି

   ପ୍ରେମ ଛଡ଼ାଇ ନେଇ,

ରୋଗ ଯନ୍ତ୍ରଣା ଭରି ଦେଉଛି

    ବିପଦ ବଢୁଥାଇ।


ପ୍ରତ୍ୟେକ ଲୋକ ନିଜର ସ୍ବାର୍ଥ

   ପ୍ରଥମେ ଦେଖୁଅଛି,

ଅନ୍ଯବିପଦ ସମୟେ‌ କିନ୍ତୁ

   ମୁହଁ ବୁଲ‌ଉଅଛି।  


ଏମିତି ଯେତେ ସମସ୍ୟା ଅଛି

   ଆପଣ ଜାଣୁଛନ୍ତି,

କିଛି ବ୍ୟବସ୍ଥା କର ହେ ଯେଣୁ

   ଆପଣ ଆସିଛନ୍ତି।


ପ୍ରଭୁ ଦେଖିଲେ ଦିବ୍ଯ ଦୃଷ୍ଟିରେ

    ଭୂତାଣୁ କାମନାର,

ମଣିଷ ଦେହୁଁ ହସ ଖୁସିକୁ 

    କରୁଛି ନାରଖାର।


କରୋନା‌ ଭଳି ଯାଉଛି ମାଡ଼ି

    ପ୍ରତି ହୃଦୟ ଛୁଇଁ,

ଏମିତି ପ୍ରତି ମୁହୂର୍ତ୍ତେ ମରେ

    ମଣିଷ ବଞ୍ଚିଥାଇ‌।


ରୋଗ ଜୀବାଣୁ ଶରୀର ଗ୍ରାସୀ

    ପ୍ରାଣ ବିନାଶ କରେ,

ସ୍ବାର୍ଥ ଜୀବାଣୁ ଊଇ‌ ସଦୃଶ

    ମଣିଷତ୍ଵକୁ ଚରେ। 


ରୋଗ ଭୂତାଣୁ ଠାରୁ ଅଧିକ

    ଈର୍ଷାଟି ଭୟଙ୍କର,

ସ୍ନେହ ସମ୍ପର୍କ ଅମୃତ ଭାବ

    କରୁଛି ଛାରଖାର।


ଅର୍ଥ ଓ ସ୍ଵାର୍ଥ, ହିଂସା ଓ ଦ୍ଵୈଷ

    ଭୂତାଣୁ ଅହଂକାର,

ସବୁ ବ୍ୟବସ୍ଥା କରେ ହୀନସ୍ତା

    ଏ ସବୁ କ୍ଷତିକାର।


ଏହି ଭୂତାଣୁ ନିୟନ୍ତ୍ରଣ ଯେ

   ନୁହେଁ ସହଜ ସାଧ୍ୟ,

ସହନଶୀଳ ଧୈର୍ଯ୍ୟ ମାସ୍କଟି

   ମୁହେଁ ସର୍ବଦା ପିନ୍ଧ।


ପ୍ରେମର ସାନିଟାଇଜରେ ମନ

   ଧୋଇବା ଦରକାର,

 ଦୁର୍ନୀତି ଆଉ ଦୁଷ୍କର୍ମ ଠାରୁ

   ଡିଷ୍ଟାନ୍‌ସ ମେଣ୍ଟେନ କର।


ସେଦିନ ଯାଏ ସତ୍ୟ ଭେକ୍ସିନ୍

    କେହି ନେଉ ନ ଥିବେ,

ସେଦିନ ଯାଏ ଦୁଷ୍ଟ ଭୂତାଣୁ

    ସଂକ୍ରମିତ ଯେ ହେବେ।


ସମତା ଐକ୍ଯ କ୍ଵାରେଣ୍ଟାଇନରେ

    ରହି ପ୍ରଭୁଙ୍କୁ ଚିନ୍ତ,

ଈର୍ଷା କରୋନା ଭୂତାଣୁ ନିଶ୍ଚେ

    ହୋଇବା ପ୍ରତିହତ ।


ଯେଦିନ ଯାଏ ମଣିଷ ଏଠି

    ଅହଂରେ ବୁଡୁଥିବ,

ସେଦିନଯାଏ ସ୍ଵାର୍ଥ ଜ୍ଵରରେ

    କରୋନା ବ୍ଯାପୁଥିବ।


'ମୁଁ'କାର ରୋଗ ଭୂତାଣୁ ତାର

    ଅତ୍ୟନ୍ତ ଆପଣାର,

'ଓଁ' କାର ବ୍ରହ୍ମ ପ୍ରାର୍ଥନା କର

    ବଧ ହେବ ଅସୁର।


ରୋଗ ଭୂତାଣୁ କଣ୍ଟ୍ରୋଲ ନିଶ୍ଚେ

   ଔଷଧେ ହୋଇପାରେ,

ଖଳ ପ୍ରବୃତ୍ତି ନିରୋଧ ପାଇଁ

   କିଛି ନାହିଁ ଏଠାରେ।


କହି ଏତିକି ଶ୍ରୀଦେବଶିଳ୍ପୀ

   ଗଜ ବାହନେ ବସି,

ତୁଳସୀ ଧାମେ ବଳଦେବଙ୍କୁ

   ଦର୍ଶନ କଲେ ଆସି।


ଧବଳମୁଖ ବିଶ୍ଵକର୍ମାଙ୍କୁ

   ଆତିଥ୍ଯେ ଖୁସି କଲେ,

ମୁର୍ଖ ଅପର୍ତ୍ତି ଭାବି କହୁଛି

   ରସାବଳି ଖୋଇଲେ‌।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy