ପିଲା ଦିନର ଗାଁ
ପିଲା ଦିନର ଗାଁ
ଗହଳ ଚହଳ ପିଲାଟି ଦିନର
ଆମ ଗାଆଁ ମଫସଲ
ଲାଗେ ଖାପଛଡା ଅଲଗା କେମିତି
ନାହିଁ ଭାବ ଆପଣାର ।
ଗାଆଁ କଚ୍ଚାଘର ସବୁ କୋଠାମୟ
ସଡକ କଂକ୍ରିଟ ଦାଣ୍ଡ
ଛୁଟେ ଦିନରାତି ମଟର ବାଇକ
ଛୁଏଁ ନାହିଁ ମାଟି ପାଦ ।
ଜଳେ ଦିକି ଦିକି ବିଜୁଳି ଆଲୁଅ
ଜଳେ ସ୍ବାର୍ଥ ଦାବାନଳ
ସଂସାର ଜଞ୍ଜାଳେ ମଣିଷ ବିବ୍ରତ
ଘଡିଏ ମିଳେନି ତର ।
ଆଜୀବିକା ପାଇଁ ଗାଆଁର ମଣିଷ
ଅଧିକ ସହର ମୁହାଁ
ଝୁଲଇ କୋଲପ ନିବୁଜ ଦୁଆରେ
ଲାଗେ ଶୂନଶାନ ଗାଆଁ ।
ଗହଳ ବଗିଚା ଗାଆଁ ଆମ୍ବତୋଟା
ନାହିଁ ଚିହ୍ନ ବର୍ଣ୍ଣ ଆଉ
ଆସୁନି ବସନ୍ତ ଶୁଭୁନାହିଁ ମିଠା
କୋଇଲିର କୁହୁ କୁହୁ ।
ଡେଉଁନି ସ୍ୱଚ୍ଛନ୍ଦେ କଅଁଳା ବାଛୁରୀ
ଶୁଭୁନାହିଁ ହମ୍ବା ରଡି
ଆମ ମଫସଲେ ଆତ୍ମିକ ଭାବନା
ନାହିଁ ଦୃଢ ଆଗ ପରି ।
ବିବର୍ଣ୍ଣ ଶ୍ରୀହୀନ ପଲ୍ଲୀ ସବୁଜିମା
ଲାଗେ ଅପାଂକ୍ତେୟ ଶୁଷ୍କ
ସଢୁଛି ଦାରିଦ୍ର୍ଯ ଦୁଃଖ କଷାଘାତେ
ଜୀବନ ଗ୍ରାମ ବିମୁଖ ।