ନାରୀ
ନାରୀ
ନାରୀଟି ଗୃହିଣୀ ମନ ନିଏ କିଣି
ସମସ୍ତେ ହୁଅନ୍ତି ତାଙ୍କ ପାଖେ ଋଣୀ l
ତା'ମନ ମନ୍ଦିରେ ସଭିଏଁ ସମାନ
ସମସ୍ତଙ୍କ ପାଇଁ ହୁଅଇ ଅଭିନ୍ନ l
ମନ୍ଦିର ପ୍ରସାଦ ଅଟଇ ବିଚିତ୍ର
ଖାଇଦେଲେ ମନ ହୁଅଇ ପବିତ୍ର l
ଘଣ୍ଟ ଘଣ୍ଟି କେବେ ମନ୍ଦିରୁ ଶୁଭେନି
ପାଉଁଜି ଘୁଁଙ୍ଗୁରେ ବାଜଇ ଖଞ୍ଜଣୀ l
ସକାଳ ସ୍ନାନରେ ରୁଣୁ ଝୁଣୁ ଚୁଡ଼ି
କାନରେ ବାଜିଲେ ନିଦ ଯାଏ ଉଡି l
ନିତ୍ୟକର୍ମ ସାରି ଆସଉ ମନ୍ଦିର
ଭୋଗ ପାଇ କରୁ କର୍ମେ ଅଗ୍ରସର l
ବିଶ୍ରାମ ନିଏନି ମନ୍ଦିରେ ତାହାର
ମଣୋହି ରାନ୍ଧେ ସେ ହୋଇ ତତପର l
ପହଡ଼ ପଡ଼େନି ମନ୍ଦିରେ ତାହାର
ସବୁବେଳେ ସେତ ଥାଏ ଉଜାଗର l
ଯେତେବେଳ ଗଲେ ପ୍ରସାଦ ମିଳଇ
ଅକ୍ଷୟ ପାତ୍ର ତା ଭରି ହୋଇଥାଇ l
ମନରେ ନଥାଏ ପାତର ଅନ୍ତର
ପେଟ ଭରି ଥାଏ ସବୁ ଜନଙ୍କର l
ଧନ୍ୟ ନାରୀ ତୁମେ କେତେ ଯେ ସବଳ
ନିଜେ ଜଳି କର ସଂସାର ଉଜ୍ଜ୍ୱଳ l
ମମତାରେ ଭର ସନ୍ତାନ କ୍ରନ୍ଦନ
ପତ୍ନୀ ହୋଇକର ପ୍ରେମରେ ବନ୍ଧନ l
ନାରୀ ହୋଇ ଦିଅ ଅନେକ ଇନ୍ଧନ
ଜୀବନର ପାଇଁ କେତେ ଯେ ସନ୍ଧାନ l
ଏ ମହି ମଣ୍ଡଳେ ତୁମେ ନିରୁପମା
ଆମ ପାଇଁ ନାରୀ ଜୀବନ୍ତ ପ୍ରତିମା l