ଗ୍ରୀଷ୍ମ କାଳେ ଅଜା ପାଇଲେ ସଜା
ଗ୍ରୀଷ୍ମ କାଳେ ଅଜା ପାଇଲେ ସଜା
ଗ୍ରୀଷ୍ମ ରୁଦ୍ର ତାପେ ଅଜା ବିକଳ
ନାତିକୁ ଧରିକି ମିଳିଲା ବଳ ।
ନଡ଼ିଆ ଚାଞ୍ଚରା ନାତିକୁ ସାଥେ
ବାଙ୍କୁଲି ବାଡି଼କୁ ଧରିଲେ ହାତେ ।
ଆମ୍ବ ତୋଟାକୁ ସେ କଲେ ଗମନ
ଖାଇବାକୁ ଟିକେ ଥଣ୍ଡା ପବନ ।
ଅଜା ଶୋଇଥିଲେ ଚାଞ୍ଚର ପରେ
ନାତି ଶୋଇଥିଲା ତାଙ୍କ କୋଳରେ ।
ପେଟରେ ପଡିଲା ପାଚିଲା ଆମ୍ବ
ଥନ୍ତଲା ପେଟରେ ନ ଥିଲା ଦମ୍ଭ ।
ଅଜା ଛାଡୁଥିଲେ ବିକଳେ ରଡ଼ି
ନାତି ଧରିଥିଲା ଆମ୍ବକୁ ଭିଡି ।
ନାତିଟା କହିଲା ଅଜା ହେ ଅଜା
ଖାଇବାକୁ ଲାଗେ ଆମ୍ବଟା ମଜା ।
ଗଛେ ବସିଅଛି ହନୁ ମାଙ୍କଡ଼
ସେଥିପାଇଁ ଅଜା ଆମ୍ବର ମାଡ଼ ।
ଚାଲ ଚାଲ ମୋର ନାତିଆ ଟୋକା
ମନ କରିଦେଲା ଆମ୍ବଟା ଫିକା ।
ପାଚିଲା ଆମ୍ବଟା ତୋ ପାଇଁ ମଜା
ତାହାରି ଆଘାତେ ପେଟରେ ସଜା ।
ଦରକାର ନାହିଁ ଥଣ୍ଡା ପବନ
ଚାଲିଯିବ ଏଠି ମୋର ଜୀବନ ।
ଅଜା ନାତି ଦୁହେଁ ଫେରିଲେ ଘର
କଥା ଶୁଣି ସର୍ବେ ହେଲେ ବିଭୋର ।
