ଅଦ୍ଭୁତ ପ୍ରତିମା ନାରୀ
ଅଦ୍ଭୁତ ପ୍ରତିମା ନାରୀ
ନାରୀ ସର୍ବଶ୍ରେଷ୍ଠ ସୃଷ୍ଟିର ସର୍ଜନା
ସକଳ ଶକ୍ତି ଆଧାର
ସବୁ କେନ୍ଦ୍ର ବିନ୍ଦୁ ସେଠାରୁ ଉତ୍ପନ୍ନ
ଧୈର୍ଯ୍ୟର ଅଟେ ସାଗର ।
ହସରେ ଆସଇ କୁସୁମ ବରଷା
ଐଶ୍ୱର୍ଯ୍ୟ ହୁଅଇ ପ୍ରାପ୍ତି
କ୍ରୋଧରେ ଆଣଇ ଅନଳ ତୋଫାନ
କରଇ ସବୁ ସମାପ୍ତି ।
ଉଦର ଚିରିକି ଦିଅଇ ଜୀବନ
ସହିଣ କେତେ କଷଣ
ଅମୃତ ତାହାର ବକ୍ଷରୁ ଝରାଇ
କରିବାକୁ ଦିଏ ପାନ ।
ସମାଜର ସିଏ ଆମ ଅନ୍ନ ଦାତ୍ରୀ
ଭରଇ ସମେ ଉଦର
ସେବିକା ରୂପରେ ମମତା ବନ୍ଧନ
ମନେ ନାହିଁ ଅନାଦର ।
ସାତସୁର ତାର କଣ୍ଠରେ ଭରିଛି
ସୁମଧୁର ତାର ଗାନ
ସପ୍ତରଙ୍ଗ ତାର ଇନ୍ଦ୍ରଧନୁ ପରି
ବିଶ୍ୱକୁ କରେ ରଙ୍ଗୀନ
।
ଅଶ୍ରୁରେ ଶକତି ଅତି ଆପଣାର
ପ୍ରେମ ଭାବେ କରି ଯାତ
ହୃଦୟ ଯନ୍ତ୍ରଣା ଅକୁହା ବେଦନା
ଲୁହ କରେ ପ୍ରତିହତ ।
ସ୍ନେହ ପ୍ରେମ ତାର ବନ ମହୌଷଧି
ଅଟେ ତାର ଦିବ୍ୟ ଗୁଣ
ସବୁରି ମମତା ତାଠାରେ ଭରିଛି
ଧନ୍ୟ ଆମର ଜୀବନ।
ସମ୍ପର୍କ ଭଣ୍ଡାର ଅଭିନବ ରୂପ
ସଂସାରର ଚାବିକାଠି
ଜନନୀ ଭଗିନୀ ଆଉ ଅର୍ଦ୍ଧାଙ୍ଗିନୀ
କେବେ କାଳୀ ରୂପେ ଦୃଷ୍ଟି ।
ଯିଏ ନିଏ ତାର ଆଦର ଯତନ
ହୁଏ ସିଏ ନର ଶ୍ରେଷ୍ଠ
ନିଜ ଲୋକ କେବେ ଦେଇ ଦେଲେ ଧୋକା
ଭୋଗଇ ଅନେକ କଷ୍ଟ ।
ସୃଷ୍ଟିର ବୈଚିତ୍ର୍ୟ ଅଦ୍ଭୁତ ପ୍ରତିମା
ରଖିଲେ ତାର ମହତ୍ତ୍ୱ
ଦୁଃଖ ଓ ଯନ୍ତ୍ରଣା ଶୋକର ସାଗର
ହୋଇଯିବ ପ୍ରତିହତ ।।