ନାରୀ ତୁହି ବନ୍ଦନୀୟା
ନାରୀ ତୁହି ବନ୍ଦନୀୟା
'ନ ' ଅରୀ ବୋଲି ନାରୀ ତୁମ ନାମ
ସୃଷ୍ଟି କୁ ଧାରଣ କର
ସାଗର ଠୁ ବଡ଼ ତୁମ ହୃଦ ସ୍ଥଳ
ତୁମେ ମମତାର ଡ଼ୋର |
ତୁମେ ଯଶସ୍ୱିନୀ ତୁମେ ଦିଗାମ୍ବରା
ଜନନୀ ଭଗିନୀ ଜାୟା
ବିଭିନ୍ନ ରୂପରେ ସମସ୍ତ କ୍ଷେତ୍ରରେ
ବିସ୍ତାର ତୁମର କାୟା ।
ଅସରା ସ୍ନେହର ଝରଣା ଟେ ବହେ
ସଭିଙ୍କୁ ଗାଧୋଉ ଥାଅ
ବିନା ତିତିକ୍ଷାରେ ହୃଦରେ ମନରେ
କର୍ତ୍ତବ୍ୟ ଯେ କରିଯାଅ ।
ନାରୀ ତୁମେ ପରା ଜନମିଛ ଭବେ
ଦେବକୀ ଙ୍କ ଧୈର୍ଯ୍ୟ ନେଇ
ବାତ୍ସଲ୍ୟ ରସକୁ ସାଉଁଟିଛ ବୋଧେ
ଯଶୋଦା ଙ୍କ ମନ ଭୂଇଁ ।
ଜ୍ଞାନ ଗାରିମାରେ ଏବେ ବି ଆଗରେ
ଗାର୍ଗୀ ଙ୍କ ସ୍ପଷ୍ଟ ବାଦିତା
ପତ୍ନୀ ଭାବେ ସଦା ସୁପଥ ଦେଖାଅ
କୁହଇ ପୁରାଣ ଗାଥା ।
ତୁମେ ନାରୀ ଅଟ ଚିର ବନ୍ଦନୀୟା
ଛୁଇଁଦେଲେ କଷ୍ଟ ମିଟେ
ତୁମରି କଥାର ମଧୁର ଝରଣା
ମନରେ ଯେ ଗାର କାଟେ ।
ତୁମେ ଧୈର୍ଯ୍ୟଶୀଳା ଅଦ୍ଭୂତ କଳିକା
ତୁମେ ସଂସ୍କାରର ସେତୁ
ତୁମରି ହାତର ପରଶେ ଧରାରେ
ଦୁନିଆ କୁ ମିଳେ ହେତୁ ।
ନାରୀ ତୁମେ ଅଟ ଚିର ବନ୍ଦନୀୟା
ପ୍ରେମ ଛଳ ଛଳ ନଦୀ
ଦେଇ ପାରିବାର ସନ୍ତୋଷ ସାଉଁଟ
ତୁମ ପାଇଁ ସବୁ ସିଦ୍ଧି ।
ହେ ନାରୀ ତୁମେ ଚିର ବନ୍ଦନୀୟା
ପରଶେ ବିରସ ଯାଏ
ତୁମ ମମତାର ସାନ୍ନିଧ୍ୟରେ ସଦା
ମନ ତୃପ୍ତ ହେଉଥାଏ l
ତୁମେ ସ୍ୱୟଂସିଦ୍ଧା, ତୁମେ ତ ବସୁଧା
ତୁମେ ଦୁର୍ଗା ଲକ୍ଷ୍ମୀ ବାଈ
ଦୁଷ୍ଟ ଙ୍କୁ ବିନାଶି ଶାନ୍ତି ପରକାଶି
ତୁମେ ହୁଅ ହେ ଯଶସ୍ୱୀ ।
ତୁମେ ପଢ଼ିପାର ଅକୁହା କଥାକୁ
ପଢ଼ିପାର ମନସ୍ତତ୍ତ୍ୱ
ତୁମେ ବୁଝିପାର ଅବ୍ୟକ୍ତ ବେଦନା
ବେଦନାର କର ଅନ୍ତ ।
ମନୋଭାବନାର ପତରେ ପତରେ
ଦୟା, କ୍ଷମା ର ଶିଶିର
ମଧୁ ବୋଳା କଥା ମୃଦୁ ମଳୟରେ
ବ୍ୟକ୍ତିତ୍ବ ତୁମ ଗଭୀର ।
ତୁମ ଚେତନାରେ ସୃଷ୍ଟି ବୀଜ ଭରା
ଧର୍ମ ପାଇଁ ତ୍ୟାଗ ନୀତି
ସହନଶୀଳତା ତୁମ ଅନ୍ତଃସ୍ବର
ଅନ୍ୟାୟ ପାଇଁ ଦୁର୍ଗତି ।
ତୁମରି ଭିତର ଉର୍ଜାର କାନ୍ଥରେ
ଅସୀମ ଶକତି ଭରା
ତୁମେ ବନ୍ଦନୀୟା ଚାରୁଶୀଳା ତୁମେ
ମୁଗ୍ଧ ଝରଣାର ଧାରା ।
ଶାନ୍ତି ଆବାହନୀ, କାନ୍ତି ପ୍ରଦାୟିନୀ
ନୀତିମୟୀ, ମୁକ୍ତି ମୟୀ
ଏ ଆକାଶ ସମ ବିଶାଳ ହୃଦୟ
ତୁମେ ଅଟ ଗୀତିମୟୀ ।
ତୁମ ବିନା ଘର ଘର ଲାଗେ ନାହିଁ
ବିକାଶ ଆଗାଏ ନାହିଁ
ହେ ନାରୀ ତୁମେ ଚ଼ିର ବନ୍ଦନୀୟା
ସୃଷ୍ଟି ନାଶ ହୋଇଥାଇ ।
ସର୍ବ କ୍ଷେତ୍ରେ ତୁମେ ସ୍ୱୟଂସିଦ୍ଧା ଅଟ
ତୁମ ବିନା ସବୁ ଶୂନ୍ୟ
ହେ ନାରୀ ତୁମେ ଚିର ବନ୍ଦନୀୟା
ତୁମ ଯୋଗୁ ବିଶ୍ଵ ଧନ୍ୟ ।
ତୁମେ ହିଁ ଚାହିଁଲେ ଦୁନିଆ ବୁକୁରେ
ଶିକ୍ଷା, ସଂସ୍କାର ବିକାଶେ
ତୁମେ ହିଁ ଚାହିଁଲେ ଏଇ ଦୁନିଆରେ
ହସର ଫୁଲ ବରଷେ ।
ହେ ନାରୀ ତୁମେ ଚିର ବନ୍ଦନୀୟା
ତୁମେ ଶକ୍ତି ର ଆଧାର
ତୁମରି ପରଶେ ଏ ଦୁନିଆ ଲେଖୁ
ନୂଆ ଗୋଟେ ଇତିହାସ ।
