ନାଲି ଓଢଣୀ
ନାଲି ଓଢଣୀ
କେତେ କେତେ କଥା ସବୁ ରହିଛି ମୋ ସୃତିରେ
ସାଇତି ରଖିଛି ତାକୁ ବଡ଼ ଆଦରରେ ,
ଯେବେ ଦେଖେ ବସି ମୁହିଁ ତାକୁ ମୋର ଏକାନ୍ତରେ
ମିଠା ମିଠା ଖୁସିରେ ,ନାଚେ ଆନନ୍ଦରେ |
ମନେପଡେ ସେହି ଦିନ ,ସେହି ସବୁ ମିଠା କଥା
ଯେବେ ମିଶି ଦେଖୁଥିଲୁ ସୁନେଲି ସପନ ,
ମନରେ ଆବେଗ ଥିଲା ,ବଢ଼ୁଥିଲା ଆମ ହୃଦୟ ସ୍ପନ୍ଦନ
ଥିଲା କିଛି ମନ ଆଉ ଅଭିମାନ |
ଲୁଚି ଲୁଚି ଆସୁଥିଲା ସିଏ ,ପାଦ ଚାପି ଚାପି
ଥିରି ଥିରି କହୁଥିଲା ଚାପି ଓଠକୁ ,
ତାର ସେହି ଚାଲି ଆଉ କଥା ସବୁ ଶୁଣି
ଖୋଲୁଥିଲି ମୋର ଏହି ମନର ଦ୍ୱାରକୁ |
ଆଖି ମେଳି ଦେଖୁଥିଲି ,ଆଖି ମୋର ଯାଉଥିଲା ଲାଖି
ପ୍ରିୟାର ଓଢଣୀ ତଳେ ଆଖିକୁ ଦେଖି ,
ତାର ନାଲି ଓଢଣୀ ତଳେ ଲାଜ ଲାଜ ଆଖି
ଦେଉଥିଲା ତାର ପ୍ରେମର ଜୀବନ୍ତ ସାକ୍ଷୀ |
ସେହି ନାଲି ଓଢଣୀ ତଳେ ମଥାର ନାଲି ଟିପା
ଆଖିରେ ଶୋଭୁଥିଲା ସୁନ୍ଦର କଜଳ ଗାର,
ମତେ ଚାହିଁ କମ୍ପୁଥିଲା ତାର କୋମଳ ସୁନ୍ଦର ଓଠ
ଥିରି ଥିରି ବାଂଟୁଥିଲା ମଧୁ ,ପ୍ରେମର |
ତାର ସୁନ୍ଦର ଘନ କେଶ ଢାଙ୍କିଥିଲା ନାଲି ଓଢଣୀ
ଖେଳୁଥିଲା ସେହି କେଶ ପବନ ସାଙ୍ଗରେ ,
କିଛି ଉଡି ପଡୁଥିଲା ତାର ମୁଖରେ ଓଢଣୀ ଆଢୁଆଳରେ
ତାକୁ ସଜାଡୁଥିଲା ସିଏ ,କୋମଳ ହାତରେ |
କିଛି ଯେବେ ଦୁଷ୍ଟାମୀ କରି ଯିବାକୁ ଚାହୁଁ ନଥିଲେ
ଟିକେ ରାଗି ସିଏ ଧରୁଥିଲା ହାତରେ ,
ଟାଣି ନେଇ ରଖୁଥିଲା ତାର ନାଲି ଓଢଣୀ ତଳେ
ମତେ ସିଏ ଦେଖୁଥିଲା ବାଙ୍କ ଚାହାଣୀରେ |
ହସିଦେଇ କହୁଥିଲି ,ଅମାନିଆ ଏହି ପବନ ଶୁଣିବ ନାହିଁ
ଖେଳିବାକୁ ଦିଅ ତୁମ ମୁକୁଳା କେଶକୁ ,
ମନ ତାର ଭାରିଗଲେ ,ଆପେ ଚାଲିଯିବ ସେଇ ନିଜେ
କାହିଁକି ରାଗି ତୁମେ କାଷ୍ଠାଦିଅ ନିଜକୁ ?
ତୁମ ନାଲି ଓଢଣୀ ଦେଖି ଲାଗେ ହୋଇଛି ପାଗଳ
ଛୁଉଁଚି ତୁମକୁ ଦେଖା ସିଏ ବାରମ୍ବାର ,
ମତେ ବଡ଼ ଇର୍ଷା ହେଉଛି ଏହି କେଶ ଦେଖି
ଭାବୁଛି ହୋଇଥାନ୍ତି ଯଦି କେଶ ତୁମର |
ଖେଳୁଥାନ୍ତି ପବନ ସଂଗେ ମିଶି ତୁମ ପରସ ପାଇଁ
ନାଲି ଓଢଣୀ ତଳେ ଲୁଚି ରହି ,
ତୁମେ ମୋତେ ବାରମ୍ବାର ଦେଉଥାନ୍ତ ରାଗରେ ଟିକେ ଘଉଡ଼ାଇ
ନମାନି ତୁମକୁ ,ରହିଥାନ୍ତି ଅବୁଝା ହୋଇ |
ଶୁଣି ଏହି କଥା ,ପ୍ରିୟ ମୋର ଯାଉଥିଲା ଲାଜେଇ
ହସିଦେଇ ,ନାଲି ଓଢଣୀ ତଳେ ଥାଇ ,
ମନ ମୋର ଭରୁଥିଲା ତାର ଲାଜକୁଳା ହସକୁ ଦେଖି
ପିଉଥିଲି ,ତାର ପ୍ରେମରସ ମଧୁକୁ ପାଇ |

