ନାବିକର ସ୍ବପ୍ନ
ନାବିକର ସ୍ବପ୍ନ
ତରଙ୍ଗ ଭିତରେ ଢେଉର ଚମକ
ଢେଉ ଭିତରେ ତରଙ୍ଗ,
ସେଇ ତରଙ୍ଗର ନୀଳ ଦରିଆରେ
ଆଙ୍କେ ମୋ' ଜୀବନ ରଙ୍ଗ ।
ଜୀବନଟି ମୋର ନଉକା ଭିତରେ
ନଉକା ମୋର ଜୀବନ,
ବିକଳ୍ପ ବଣିକ କରିଛି ମୁଁ ତାକୁ
ଆସ୍ଥା ଆଶା ଗଣ୍ଠିଧନ ।
ବର୍ଣ୍ଣାଢ୍ୟ ସଭ୍ୟତା ସୁଦୂର ସ୍ଥଳରେ
ସାଗର ତୀର ମୋ' ସାହା,
ପର୍ଣ୍ଣ କୁଟୀରେ ମୋ' ବିବର୍ଣ୍ଣ ଅନ୍ଧାର
ତଥାପି ଖୋଜେ ମୁଁ ରାହା ।
ରାହା ଖୋଜୁ ଖୋଜୁ ଧନ୍ଦାରେ ହୋଇଛି
ସାଗର ମୋ' ପିତାମାତା,
ବୁଭୁକ୍ଷୁ ଜୀବନେ ମହା ଭିକ୍ଷା ଦେଇ
କରି ନେଇଛି ଆଶ୍ରିତା ।
କାହାପାଇଁ ମୁଁ ତ ମାତ୍ର ମତ୍ସ୍ୟଜୀବୀ
କାହାପାଇଁ ମୁଁ ନାବିକ,
ମୋ' ସଂସାର ପାଇଁ ମଉଡ଼ମଣି ମୁଁ
ବୃତ୍ତି ମୋ' ପାରମ୍ପାରିକ ।
ପରମ୍ପରା ମୋତେ ମିଛ ଦେଇନାହିଁ
ଦେଇନାହିଁ ପ୍ରତାରଣା,
ସଂଘର୍ଷରେ ବଞ୍ଚେ ଅନ୍ୟକୁ ବଞ୍ଚାଇ
ପାଇଥାଏ ମୁଁ ଗଞ୍ଜଣା ।
ନୁହେଁ ମହାଜନ ମହାଜନ ପୋଷେ
ଜୀବନକୁ ରଖି ବାଜି,
ଦୁଃଖ ମୋ' ଦରିଆ ସିନ୍ଧୁ ବି ଦରିଆ
ସାଥି ମୋର ସ୍ବପ୍ନରାଜି ।
ଅନ୍ଧାର ଭିତରୁ ଆଲୁଅ ଖୋଜେ ମୁଁ
ମନ ମୋ' ଶୁଭ୍ର ଶାମୁକା,
ନିଃସଙ୍ଗ ଜୀବନେ ସାଥି କରିଛି ମୁଁ
ସାଗରକୁ ଏକା ଏକା ।
ହେ ସାଗର,ତୁ ଯେ ବାଲ୍ୟସାଥୀ ମୋର
ଜୀବନେ ରସ ମୃଣାଳ,
ବୁଝିଛୁ ମୋ' ମନ ହେବୁନାହିଁ କେବେ
ନୀଳ ବର୍ଣ୍ଣର ଶୃଗାଳ ।
ମଣିଷ ଆଖିରେ ମତ୍ସ୍ୟଜୀବୀ ମୁହିଁ
ତୋ'ରି ଅମୃତ ସନ୍ତାନ,
ହେଉ ପ୍ରଶମିତ ଢେଉ ଅପ୍ରମିତ
ଥମିଯାଉ ତୋ' ଗର୍ଜନ ।
ମୁଁ ନିଜେ ବଞ୍ଚିବି ଜଗତ ବଞ୍ଚିବ
ବକ୍ଷ ତୋ' ଥାଉ ପ୍ରଶସ୍ତ,
କ୍ରାନ୍ତିକାରୀ ହୋଇ ଝାଞ୍ଜି ଦେ' ନାହିଁ
ତୁ ପରା ମହା ପ୍ରଶାନ୍ତ !
ପ୍ରଶାନ୍ତି ଯେ ତୋର କମନୀୟ କାନ୍ତି
ହୃଦୟ ତୋର ବିଶାଳ,
ବିଶାଳତା ପଣେ କୋଣ ଅନୁକୋଣେ
ସ୍ବପ୍ନ ମୋ' କର ବର୍ଣ୍ଣିଳ ।