ମୂରଲୀ ଡାକୁଛି ରାଧା ରାଧା
ମୂରଲୀ ଡାକୁଛି ରାଧା ରାଧା
ମୂରଲୀ ଡାକୁଛି ରାଧା ରାଧା ବୋଲି
ଉଚ୍ଚାଟେ କେଳି କଦମ୍ବ
ଚାଲ ପ୍ରିୟ ସଖୀ ଲଳିତା ବିଶାଖା
ନ କର ଆଉ ବିଳମ୍ବ ।
ବହୁଛି ଉଜାଣି ଜୀବନ ଯମୁନା
ନୀଳଆଶା ନୀଳସ୍ୱପ୍ନ
ଦିଶେ କୃଷ୍ଣ ମୟ ତା ନୀଳ ତରଙ୍ଗ
ଉଚ୍ଛନ୍ନ କରଇ ମନ ।
ନାଚୁଅଛି ଝୁମି ମୟୂର ଚନ୍ଦ୍ରିକା
ବାସେ ଦୟଣାରମାଳ
ପାଟ ପୀତାମ୍ବରୀ ନଟବର ବେଶେ
ମୋହନ ମୂରଲୀଧର ।
ଦେଖିବା ନିରେଖି ତା ନାଲି ଅଧର
ଚେନାଏ ମଧୁର ହସ
ମହକି ଉଠୁଛି ପଦ୍ମପାଦୁ ତାର
ଅଗରୁ ଚନ୍ଦନ ବାସ ।
ଅମୃତ ସୁନ୍ଦର ପ୍ରେମ ମଧୁମୟ
ସୁମଧୁର ରସରାସ
କୃଷ୍ଣ ପ୍ରାଣଧନ କୃଷ୍ଣ ହିଁ ଜୀବନ
କୃଷ୍ଣଭାବ ଅବିନାଶ ।
ଆସ ଆସ ସଖୀ ନ କର ଉଛୁର
ହୋଇଯିବା ଏକାକାର
ସୁମରିବା ନାମ ନାଚିବା ଗାଇବା
ଭଜି କୃଷ୍ଣ ନାମ ସାର ।