STORYMIRROR

SARATA KUMAR DAS

Tragedy Inspirational

4  

SARATA KUMAR DAS

Tragedy Inspirational

ମୁଠାଏ ଦାନା

ମୁଠାଏ ଦାନା

1 min
374


" ବାବୁ ! ଭାତ ଗଣ୍ଡେ ଦିଅ

ଖାଇନାହିଁ ଚାରି ଦିନ ହେଲା

କାନ ମୁଣ୍ଡ ଝାଇଁ ଝାଇଁ 

ଚାଲିବାକୁ ଯୁ' ନାହଁ 

ପ୍ରବଳ ଭୋକର ଦାଉ

ଆଉ ସହି ମୁଁ ପାରୁନି ।।" 


ନିଷ୍ପାପ ଶିଶୁଟିଏ 

ଆଖିରୁ ଝରୁଥିଲା ଧାର ଧାର ଲୁହ

ପେଟ ବିକଳରେ ଏ ଦୁଆରରୁ ସେ ଦୁଆର

ସହରର ଗଳିକନ୍ଦି ଛକ ଜାଗା ଦେଖି

ମାଗୁଥିଲା ପେଟ ପାଇଁ ଦାନା ଗଣ୍ଡେ ।


ହଜିଯାଇଛି ଶୈଶବ ତ'ର

ଉଜୁଡିଯାଇଛି ଝାଟି ମାଟି ଘର 

ବନ୍ଧାପଡିଛି ଧୂଳିଖେଳ, ବାଲିଘର ;

ସଂସାର କ'ଣ ଜାଣିନି ସେ

ଜୀବନ କ'ଣ ବୁଝିନି ସେ

ଅଥଚ ସଂସାର ର ସବୁ ବୋଝ

ଜୀବନର ସବୁତକ ଦୁଃଖ

ଲହଡି ଭାଙ୍ଗୁଛି ତା' କୋମଳ 

ଫୁଙ୍ଗୁଳା ଦେହରେ  ।


ମୁଣ୍ଡଫଟା ଖରାରେ ଥକିପଡୁଥିଲା ସେ

ବାରମ୍ବାର ଝାଳ ପୋଛୁଥିଲା

ଚୀରା ଏକ ଛୋଟ ଗାମୁଛା ଖଣ୍ଡରେ ,

କପାଳକୁ ନିନ୍ଦୁଥିଲା 

ହାତଯୋଡି କେତେ କାକୁତି କରୁଥିଲା

ହେଲେ ପେଟ ପୂରୁ ନଥିଲା 

ଥଳି ବି ଭରୁନଥିଲା 

ବାବୁମାନେ ଚାହୁଁ ନଥିଲେ ଆଡ ଆଖିରେ 

ଚାଲି ଯାଉଥିଲେ ବାଟ ଭାଙ୍ଗି

ଯିଏ ଯାହା ବାଟରେ  ।


ଥୋକେ ଦୂରେ ଛିଡା ହୋଇ

ଶୁଣୁଥିଲି ତା' ଦୁଃଖର ଅସୁମାରି କଥା

ତା' ଛାତି ତଳର ଅବ୍ୟକ୍ତ ବ୍ୟଥା

ତା' ନେଂଜରା ଲଗା ଦୁଇ ଆଖି ତଳେ

ଦେଖୁଥିଲି ମୁଁ 

ଭଦ୍ରମୁଖା ପୋଷାକର ଆବରଣ ତଳେ

ଖୁନ୍ଦି ହୋଇରହିଥିବା 

ଅୟୁତ ଦିନର ଶୋଷଣର ଗାଥା ।


ପଚାରିଲି ପରିଚୟ ତା'ର

କେଉଁଠି ତା' ଘର

ପୁଣି ରହେ ସେ କେଉଁଠି 

ଥୁରୁଥୁରୁ କଣ୍ଠରେ ଉତ୍ତର ଦେଲା ସେ--

"ଗରିବଙ୍କ ପରିଚୟ କ'ଣ କିଛି ଥାଏ ବାବୁ !

ସଂଜ ଯେଉଁଠି ହୁଏ

ଘର ଖଣ୍ଡେ ସେଇଠି ତିଆରି ହୁଏ

ରାତି ପାହିଯାଏ ଘର ଭାଙ୍ଗିଯାଏ

ପୁଣି ଘୂରିବୁଲେ ଏଣେତେଣେ 

ନିଜ କର୍ମ କୁ ଆଦରି  । "


ଥରି ଥରି ପଚାରିଲି ତାକୁ ପୁଣି 

ବାପ , ମା' ଅଛନ୍ତି କି ନାହିଁ 

ସଜଳ ଆଖିରେ ଛେପ ଢୋକି କହିଲା ସେ--

"ବାପ ମୋର ଦାଦନ ଖଟିବାକୁ ଯାଇଛି ଯେ 

ଆଉ ଫେରି ନାହିଁ 

ମା' ମୋର ଶଯ୍ୟାଶାୟୀ 

ତିନିବର୍ଷ ର ଭଉଣୀ ପେଟକୁ

ଦାନା ଗଣ୍ଡେ ଜୁଟୁନାହିଁ ।"  


ଶିରି ଶିରି ହୋଇଗଲା ଦେହ ମୁଣ୍ଡ ମୋର

ନିର୍ବାକ ହୋଇଗଲି କିଛି କ୍ଷଣ

ସତରେ କେତେ ସ୍ବାର୍ଥପର ଏ ଜାତି

କେତେ ଅହଙ୍କାରୀ ଏ ମଣିଷ 

ଫିଙ୍ଗିଦିଏ ମୁଠା ମୁଠା ଦାନା

ପାଚେରିର ଆରପଟେ ବୁଲା କୁଆ କୁକୁରଙ୍କ ପାଇଁ 

ହେଲେ ମିଳେନାହିଁ ଦାନା ମୁଠେ

କାନ୍ଦୁଥାନ୍ତି କଇଁ କଇଁ 

କେତେ ଅସହାୟ ଦୁଃଖି ରଙ୍କି 

ଦୁଇବେଳା ଦୁଇମୁଠା ପାଇଁ  ।।




Rate this content
Log in

Similar oriya poem from Tragedy