ମୁଁ ଶିଶୁଟିଏ କହୁଛି
ମୁଁ ଶିଶୁଟିଏ କହୁଛି
ଶିଶୁଟିଏ ମୁଁ ହସିବି ଖେଳିବି
ପାରୁଛ ତ ମୋତେ କୋଳେଇ ନିଅ
ଜାଣେ ନାହିଁ ମୁଁ ପର ଆପଣାର
ଭାବିନିଏ ନିଜ ପାଇଲେ ସ୍ନେହ ।
ଅବୋଧ ଅଜ୍ଞାନ ବାଳୁତ ମୁଁ ଶିଶୁ
ମାଆର ପଣତ ଧରେ ଜାବୋଡି
ମେଣ୍ଟାଏ ନିଜର ସବୁ ଭୋକଶୋଷ
ନିସ୍ରବେ ଅମୃତ ମୁଖେ ନିଗିଡି ।
ଯେହେତୁ ଜାଣେନି ଛନ୍ଦ ମାୟା ମୋହ
ମାତିଥାଏ ନିତି ମୁଁ ହସଖେଳେ
ଦରୋଟି ମୋ କଥା ଲାଗେ ଗୁଲୁଗୁଲୁ
ଚାଲେ ହଲି ଝୁଲି ମୁକୁତା ଝରେ ।
ଲାଗେ ମୋତେ ଭଲ ତୋଳିଦେଲେ ମାଆ
ମିଞ୍ଜି ମିଞ୍ଜି ତାରା ଆକାଶ ଫୁଲ
ହାତ ଠାରି ଦେଲେ ଖସିପଡେ ଜହ୍ନ
ଆଖିରେ ଭରଇ ରାତିଏ ନିଦ ।
ଶିଶୁଟିଏ ମୁଁ ଜାତି ଭବିଷ୍ୟତ
ଜାଣିନାହିଁ ସୁଖ ମୋ ଅଧିକାର
ଅଲୋଡା ନୁହେଁ ମୁଁ ଅବହେଳା ପାତ୍ର
ବର୍ବରତା ଅଟେ ହତ ଆଦର ।
ଲୋଡେ ଉପଯୁକ୍ତ ସୁରକ୍ଷା ଯତନ
ଶିକ୍ଷା ଦୀକ୍ଷା ସେବା କର ଉନ୍ନତ
ଶିଶୁଟିଏ ମୁଁ କହୁଛି ହୃଦୟୁ
ଚିହ୍ନ ଜୀବନକୁ ଯନ୍ତ୍ର ମଣିଷ ।