ମୁଁ ସେହି ଦରପୋଡା କାଠ
ମୁଁ ସେହି ଦରପୋଡା କାଠ
ଘୋର କଳିକାଳ ଧରମ ସଙ୍କଟ
ବନସ୍ତେ ଲାଗିଛି ନିଆଁ
ତ୍ରସ୍ତ ପଶୁପକ୍ଷୀ ଧାବନ୍ତି ବିକଳେ
ଚତୁର୍ଦ୍ଦିଗ କଳା ଧୂଆଁ ।
ଜଳେ ହୁତୁ ହୁତୁ ଶୁଷ୍କ କାଷ୍ଠପତ୍ର
କଞ୍ଚା ହୁଏ ଦରପୋଡା
କାଳର କରାଳ ଲେଲିହାନ ଶିଖା
ଲହଲହ କରେ ଜିହ୍ୱ। ।
ପାତିଅଛି ଜାଲ କାମ କ୍ରୋଧ ଲୋଭ
ଅହଙ୍କାର ଷଡ଼ରିପୁ
କରେ ଅଟ୍ଟହାସ୍ୟ କ୍ଷମତାର ନିଶା
ବ୍ୟାଧ ଅନ୍ଧ କାଳକେତୁ ।
ନିରୀହ ଜୀବନ ବିଚରା ମୃଗୁଣୀ
ଖୋଜୁଅଛି ରାହାସାହା
ନିରାଶ ମରୁରେ ପଲ୍ଲବିବ ସତେ
ନୂତନ ଆଲୋକ ଆଶା ।
ବାଞ୍ଛେ ସାଧୁ ମନ ବିଭୁଙ୍କର କୃପା
କୈବଲ୍ୟ ଅମୃତ କଣ
ବରଷୁ ଆଶୀଷ ଉଦ୍ଭବୁ ଜୀବନ
ହେଉ ମଙ୍ଗଳ କଲ୍ୟାଣ ।
ଧୈ।ତ ହେଉ ଯେତେ କଳଙ୍କ କାଳିମା
ଦରପୋଡା ଅଙ୍ଗାରକ
ଧ୍ୱଂସର ତାଣ୍ଡବ ହେଉ ପ୍ରଶମିତ
ବିବେକ ହେଉ ଉଦ୍ରେକ ।
ପ୍ରକାଶୁ ପ୍ରଣବ ନାଦୁ ପଞ୍ଚଜନ୍ୟ
ସମୟ ଦିଏ ଆହ୍ୱାନ
ଦରପୋଡା ସେହି ନିରସ କାଷ୍ଠରେ
ଉନ୍ମେଷୁ ପରମ ବ୍ରହ୍ମ ।