ମୁଁ ନୁହେଁ ମୁଁ
ମୁଁ ନୁହେଁ ମୁଁ
ଶବ୍ଦର ରଙ୍ଗରେ ରଙ୍ଗାୟିତ ପରା
ଜୀବନର ଇନ୍ଦ୍ରଧନୁ
ମୁଁ କି ସତରେ ମୁଁ ହୋଇ ଅଛି
ନିରବେ ଭାବଇ ପ୍ରଭୁ ।
ତୁମେ ଦେଲ ପରା ମଣିଷ ଜନମ
ମୋ ମାତାଙ୍କୁ ପାତ୍ର କଲ
ବିନ୍ଦୁକୁ ସିନ୍ଧୁରେ ମିଶାଇବା କଥା
ତୁମେ କାନେ କହିଥିଲ ।
ତୁମ ପ୍ରେମେ ମୁହିଁ ବିଭୋର ଥିଲି ହେ
ହାତ ଯୋଡି ରହିଥିଲି
ନାଡି , ପିଙ୍ଗଳା ଓ ପାଣି ମଧ୍ୟେ ରହି
ତୁମକୁ ଯେ ଭାବୁ ଥିଲି ।
ବାହାରକୁ ଆସି ଶବ୍ଦ ଲହରୀରେ
ନିଜକୁ ଭସାଇ ଦେଲି
ଶବ୍ଦ ମାନଙ୍କର ଅପୂର୍ବ ଆଶ୍ଳେଷେ
ଜୀବନକୁ ସଜାଇଲି ।
ଶବ୍ଦ ପୁଞ୍ଜ ମଧ୍ଯୁ ସଂସାର ପାଇଲି
ଜୀବନ ବଦଳିଗଲା
ସଂସାର ଜାଲରେ ମାୟା ଓ ମୋହରେ
ଭାବ ମୋ ଆହୂତି ହେଲା ।
ମୋର ମୋର କହି ମୁଁ ତ୍ଵକୁ ନେଇ
ମିଛ ଅହମିକା କଲି
ପଥ ହୁଡ଼ି ମୁହିଁ ଧନ ଅରଜନେ
କେତେ ପାପ ଅରଜିଲି ।
ମାୟା ମରିଚୀକା ପଛେ ଧାଇଁ ଧାଇଁ
ଅଣନିଃଶ୍ବାସୀ ମୁଁ ହେଲି
ଜୀବନ ସାୟାହ୍ନେ ଏକା ହୋଇଗଲି
ଯନ୍ତ୍ରଣା ନିଜେ କିଣିଲି ।
ମଣିଷ ଜନମ ଅମୂଲ୍ୟ ଜନମ
ଆଜି ମୁହିଁ ଭାବୁ ଅଛି
ମା' ଗରଭର ମନ୍ତ୍ର କଥା ପ୍ରଭୁ
ମନେ ମୁଁ ପକାଉଅଛି ।
ମୋ ଶରୀର ମୋର ସାଥେ ରହିଲାନି
ମନ ବି ଦୁର୍ବଳ ହେଲା
ବିବେକ ମୋହର ହଜି ଯାଇଥିଲା
ଆଣିବାର ଇଚ୍ଛା ଥିଲା ।
ନିଜକୁ ପଚ଼ାରେ ଶାନ୍ତ ହୋଇ ମୁହିଁ
ପଛକୁ ମୁଁ ଚାହିଁ ଦେଖେ
ମୁଁ ଆଜି ପ୍ରଭୁ ମୁଁ ହୋଇନାହିଁ
ଏ କଥା ମନରେ ହେଜେ ।
ଆଜି ମୁଁ କହୁଛି ମୁଁ ନୁହେଁ ମୁଁ
ତୁମ ଦାନେ ପରିପୂର୍ଣ୍ଣ।
ଆଶିଷ ଦିଅ ହେ ମୋ କଳା ଠାକୁର
ବିବେକ ନ ହେଉ ବଣା ।
ମନେ ବଳ ଦିଅ ତୁମ ଏ ଶରୀର
ସମର୍ପିତ ହେଉ ଥାଉ
ଦୁନିଆକୁ ନିଜ ପରିବାର ଭାବି
ସୁକର୍ମେ ଏ ଜନ୍ମ ବିତୁ ।